ରାୟଗଡ଼ା,୨୫/୧୨ : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟା ଗ୍ରାମର ହାଲିବାବୁ ମିସଲାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ସାଇବର ଠକେଇରେ ଲୁଟି ନେଇଥିବା ଘଟଣାରେ ଚାନ୍ଦିଲି ପୁଲିସ ଦିଲ୍ଲୀରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କ ଦିଲ୍ଲୀ ବାସିନ୍ଦା କରଣ କୁମାର (୩୫) ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ପ୍ରକାଶ କୋତାପେଟା ଗ୍ରାମର ହାଲିବାବୁ ମିସଲାଙ୍କ ମୋବାଇଲ ଫୋନକୁ ଗତ ୨୦ଅକ୍ଟୋବର ୨୦୨୪ରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଲିଙ୍କ ଆସିଥିଲା । ଏହି ଲିଙ୍କକୁ ନିଜ ମୋବାଇଲରେ ଇନଷ୍ଟଲ କରିଥିଲେ । ଏହାପରେ ତାଙ୍କର ଏସବିଆଇ ଆକାଉଣ୍ଟରୁ ୩ଟି କିସ୍ତିରେ ୧ ଲକ୍ଷ ୪୩ ହଜାର ଟଙ୍କା ସାଇବର ଠକମାନେ ଉଠାଇ ନେଇଥିଲେ । ଏ ନେଇ ସେ ବ୍ୟାଙ୍କ ସହ ଯୋଗାଯୋଗ କରିବାରୁ ଏହା ସାଇବର ଠକେଇ ବୋଲି ଜଣାପଡ଼ିଥିଲା ଏବଂ ପରେ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ ।
ଏହି ଘଟଣାରେ ତଦନ୍ତ କରି ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ଓ ଦୁଇ ଜଣ କନଷ୍ଟେବଳ ସାଉଥ ଦିଲ୍ଲୀ ଅଞ୍ଚଳରୁ ଅଭିଯୁକ୍ତ କରଣକୁ ଗିରଫ କରିଥିଲେ । ଆଇଆଇସି ଉତ୍ତମ କୁମାର ସୂଚନା ଦେଇ କହିଛନ୍ତି ଅଭିଯୁକ୍ତର ମୋବାଇଲ ନମ୍ବର ଓ ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତ ସଂପୃକ୍ତ ରହିଥିବାବେଳେ ସେମାନଙ୍କୁ ମଧ୍ୟ ଧରିବାରେ ପୁଲିସ ତଦନ୍ତ ଜାରି ରଖିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।