ପୁରୀ,୨୫।୧ : ପୁରୀ ଏସିଏସ୍ କଲେଜ ନିକଟରେ ଜଣେ ହୋଟେଲ କର୍ମଚାରୀ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୋର୍ଟ ଚାଲାଣ ପୂର୍ବରୁ ଘଟଣାସ୍ଥଳକୁ ଅଭିଯୁକ୍ତ ଗୁନା ଓରଫ ଅଜିତ ମହାପାତ୍ରଙ୍କୁ ଟାଉନ ଥାନା ପୋଲିସ ନେଇ ସିନ୍ ରିକ୍ରିଏସନ କରିଛି। ହତ୍ୟାକାଣ୍ଡ ସମୟର ସିସିଟିଭି ଫୁଟେଜ ସହିତ ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ। ପୁରୀ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି।
ତେବେ ମୃତ ଟୁକୁ ଓରଫ ସ୍ମାରକ ସିଂ କଲେଜ ଛକ ନିକଟରେ ଗାୟତ୍ରୀ ନାମକ ଏକ ହୋଟେଲରେ କାର୍ଯ୍ୟ କରୁଥିଲା। ଏହା ପୂର୍ବରୁ ଅଭିଯୁକ୍ତ ଗୁନା ମଧ୍ୟ ସେହି ହୋଟେଲ ରେ କାମ କରୁଥିଲା। ହୋଟେଲ ମାଲିକ ସହିତ ଝଗଡ଼ା ହେବାରୁ ଗୁନା କୁ ହୋଟେଲ ରୁ ବାହାର କରିଦେଲା ମାଲିକ। ଏହାକୁ ନେଇ ଟୁକୁ କୁ ହତ୍ୟା କରିବା ପାଇଁ ପ୍ଲାନ୍ କରିଥିଲା ଅଭିଯୁକ୍ତ ଗୁନା। ଶୁକ୍ରବାର ରାତିରେ ହୋଟେଲରେ କାମ ସାରିବା ପରେ ହୋଟେଲରେ ଟୁକୁ ଶୋଇଥିଲା। ଅଭିଯୁକ୍ତ ଗୁନା ହୋଟେଲକୁ ଯାଇ ଟୁକୁକୁ ମଦ ପିଇବା ପାଇଁ ଡାକିଥିଲା। ଟୁକୁ ବାହାରକୁ ଆସିବା ମାତ୍ରେ ଗୁନା ଏକ ଧାରୁଆ ଛୁରୀରେ ତାକୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ କଲେଜ ଛକ ନିକଟରେ ଥିବା ମିଶନ ଶକ୍ତି ବାରଣ୍ଡାରେ ପଡ଼ି ଯାଇଥିଲା। ସେହିଠାରେ ହିଁ ଟୁକୁକୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲା ଗୁନା। ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ବାଲେଶ୍ଵର ଫେରାର ହୋଇଯାଇଥିଲା। ପୋଲିସର ଏକ ଟିମ୍ ବାଲେଶ୍ଵର ଯାଇ ଅଭିଯୁକ୍ତ ଗୁନା କୁ ଗିରଫ କରିବା ସହ ସିନ୍ ରିକ୍ରିଏସନ ପୋଲିସ ତାକୁ ଆଜି କୋର୍ଟ ଚାଲାଣ କରିଛି ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ।