ଢେଙ୍କାନାଳ, ୩୧।୮ :  ଆଈର ଶୁଦ୍ଧିକ୍ରିୟାରେ ଘଟିଛି ଅଘଟଣ ।  ଦଶାହ କର୍ମ ପାଇଁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଦୁଇ ନାତି ବୁଡି ଗଲେ। ତେବେ  ଦମକଳ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ରହିଛି।   ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ହାତୁଆରୀ ଗାଁ ରାମିଆଳ ନଦୀରେ ଘଟିଛି ଏହି ଘଟଣା।  ମୃତକ ଜଣକ ହେଲେ  ଯାଜପୁର ଜିଲ୍ଲା ଟମକା ଗ୍ରାମର ସୁରେଶ ବାରିକଙ୍କ ୧୧ବର୍ଷର ପୁଅ ମିହିର ବାରିକ । ଗୁରୁତର ଜଣକ ହେଲେ ୧୨ବର୍ଷୀୟ ନାବାଳକ ସାରୁଆଳି ଗ୍ରାମର ଜ୍ୟୋତିରଞ୍ଜନ ବାରିକ।  ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗ୍ରାମର ମୃତ ସୁନ୍ଦରୀ ବାରିକଙ୍କ ରବିବାର ଦଶାହ ଥିଲା । ନାବାଳକ ମିହିର ତାଙ୍କ ମା' ସହିତ ଆଈର ଦଶାହ କର୍ମକୁ ସାରୁଆଳି ଗ୍ରାମକୁ ଯାଇଥିଲେ। ତେବେ ପରିବାରର ଅନ୍ୟ ମାନଙ୍କ ସହିତ ନଦୀ କୂଳରେ ଦଶାହ କର୍ମ ଚାଲିଥିବା ବେଳେ ମିହିର ଓ ତାର ମାମୁଁ ପୁଅ ଭାଇ ଜ୍ୟୋତିରଞ୍ଜନ ମିଶି ନଦୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ   ଏହା ଦେଖି ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ବାହିନୀ ସହାୟତାରେ ନଦୀରୁ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତରଖାନାରେ ମିହିରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସାରୁଆଳି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।