ନୂଆଦିଲ୍ଲୀ, ୨୨।୬: ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ଭାରତକୁ ବଡ଼ ଦ୍ୱିମୁଖୀ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଛି । ଶତ୍ରୁ ଦେଶ ଚୀନ୍ର ଆଭିମୁଖ୍ୟ ବୁଝାପଡ଼ୁଥିବା ବେଳେ, ଏବେ ପରମ ମିତ୍ର ଜାପାନର ଏକ ନିଷ୍ପତ୍ତି ଭାରତ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଭାରତୀୟ ଲଙ୍କା ଉପରେ ଚୀନ୍ କଟକଣା ଲଗାଇଥିବା ବେଳେ, ଜାପାନ ଭାରତୀୟ ଆମ୍ବ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି । ଏହା ଭାରତୀୟ କୃଷି ରପ୍ତାନି କ୍ଷେତ୍ର ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି ।

ଚୀନ୍ ଓ ଜାପାନ କାହିଁକି ଲଗାଇଲେ କଟକଣା ?

ଲଙ୍କାରେ ମିଳିଲା କୀଟନାଶକ: ଭାରତରୁ ପଠାଯାଇଥିବା ଲଙ୍କା ଗୁଣ୍ଡରେ ଅତ୍ୟଧିକ ପରିମାଣର 'ମେଥାମିଡୋଫସ୍' ନାମକ କୀଟନାଶକ ମିଳିବା ପରେ ଚୀନ୍ କଷ୍ଟମ୍ସ ବିଭାଗ ଏହାକୁ ଅଟକାଇ ଦେଇଛି । ଏହି କୀଟନାଶକ ସ୍ନାୟୁ ପ୍ରଣାଳୀ ସହ ଜଡ଼ିତ ରୋଗର କାରଣ ପାଲଟିଥାଏ । ଏହା ପୂର୍ବରୁ ଚୀନ୍ ଭାରତର ୭୦ଟି ଅଣ-ବାସୁମତୀ ଚାଉଳ କନସାଇନମେଣ୍ଟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିସାରିଛି ।

ଭାରତୀୟ ମ୍ୟାଙ୍ଗୋ ପ୍ଲାଣ୍ଟରେ ତ୍ରୁଟି: ଅନ୍ୟପଟେ ବିଗତ ଚାରି ଦଶନ୍ଧି ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜାପାନ ଭାରତୀୟ ଆମ୍ବ ଉପରେ ପ୍ରତିବନ୍ଧକ ଲଗାଇଛି । ଜାପାନର ଏକ ଯାଞ୍ଚ ଦଳ ଭାରତୀୟ ପ୍ଲାଣ୍ଟରେ 'ଫ୍ୟୁମିଗେସନ୍' ପ୍ରକ୍ରିୟାରେ ବଡ଼ ଧରଣର ତ୍ରୁଟି ପାଇବା ପରେ ଏହି ଆକ୍ସନ ନେଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୧୯୮୬ ମସିହାରେ 'ଫ୍ରୁଟ୍-ଫ୍ଲାଇ' ସଂକ୍ରମଣ ଯୋଗୁଁ ଜାପାନ ପ୍ରାୟ ୨୦ ବର୍ଷ ପାଇଁ ଭାରତୀୟ ଆମ୍ବ ଉପରେ ବ୍ୟାନ୍ ଲଗାଇଥିଲା, ଯାହାକି ପରେ ୨୦୦୬ରେ ହଟିଥିଲା । ଏବେ ପୁଣି ସମାନ ସମସ୍ୟା ଦେଖାଦେଇଛି ।

ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଚାଷୀ ଓ ରପ୍ତାନିକାରୀ:

ଏହି ସଙ୍କଟ ପରେ ଆନ୍ଧ୍ରପ୍ରଦେଶର ଲଙ୍କା ରପ୍ତାନିକାରୀ ଏବଂ ଆମ୍ବ ଚାଷୀ ସଂଘ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । କୃଷି କ୍ଷେତ୍ରରେ କ୍ଷତିକାରକ କେମିକାଲ ବ୍ୟବହାର ଉପରେ ରୋକ୍ ଲଗାଇବା ସହ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଦାବି ହୋଇଛି । 'ଫେଡେରେସନ ଅଫ୍ ଇଣ୍ଡିଆନ ସ୍ପାଇସ ସ୍ଟେକହୋଲ୍ଡର୍ସ' ଅନୁଯାୟୀ, ବିଦେଶୀ ବଜାରରେ ଭାରତୀୟ ସାମଗ୍ରୀ ପ୍ରତ୍ୟାଖ୍ୟାନ ହେବାର ହାର ୫%ରୁ ବୃଦ୍ଧି ପାଇ ଏବେ ୨୦% ରେ ପହଞ୍ଚିଛି ।

ସିଙ୍ଗାପୁର, ହଂକଂରୁ ଆରମ୍ଭ ହୋଇଥିଲା ବିବାଦ:

୨୦୨୪ ପ୍ରାରମ୍ଭରେ ହଂକଂ ଏବଂ ସିଙ୍ଗାପୁର ଭାରତର ପ୍ରସିଦ୍ଧ ମସଲା ବ୍ରାଣ୍ଡ 'ଏମଡିଏଚ୍' ଏବଂ 'ଏଭରେଷ୍ଟ' ର କେତେକ ମସଲାରେ 'ଏଥିଲିନ ଅକ୍ସାଇଡ' ମିଳିବା ପରେ ସେଗୁଡ଼ିକୁ ବଜାରରୁ ପ୍ରତ୍ୟାହାର କରିନେଇଥିଲେ । WHO ର କ୍ୟାନ୍ସର ଗବେଷଣା ସଂସ୍ଥା ଅନୁଯାୟୀ, ଏଥିଲିନ ଅକ୍ସାଇଡ୍ ଏକ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ । ଏହା ପରେ ବିଶ୍ୱର ପ୍ରାୟ ୫ଟି ବଡ଼ ଦେଶ ଭାରତୀୟ ମସଲା ଉପରେ କଟକଣା ଲଗାଇଛନ୍ତି ।

ଏହା ବି ପଢ଼ନ୍ତୁ... ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ପ୍ରସ୍ତୁତି, ଶୁଳ୍କ ସଙ୍କଟକୁ ଏଡାଇବା ପାଇଁ ପ୍ରୟାସ

ଘରୋଇ ବଜାରରେ ଯାଞ୍ଚର ଅଭାବ:

ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଏଥିଲିନ ଅକ୍ସାଇଡ୍ ପାଇଁ ବିଦେଶରେ ଭାରତୀୟ ମସଲା ବ୍ୟାନ୍ ହେଉଛି, ତାହା ଭାରତୀୟ ଘରୋଇ ବଜାରରେ ବିକ୍ରି ହେଉଥିବା ମସଲାରେ ନିୟମିତ ଯାଞ୍ଚ କରାଯାଏ ନାହିଁ । ବିଦେଶ ପାଇଁ କଡ଼ା ନିୟମ ଥିବା ବେଳେ ଘରୋଇ ଗ୍ରାହକଙ୍କ ପାଇଁ ଏଭଳି କୌଣସି ବ୍ୟବସ୍ଥା ନାହିଁ । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ ଅନୁଯାୟୀ, ଭାରତର ଅଧିକାଂଶ ସରକାରୀ ଲାବ୍ରୋଟାରୀରେ ମସଲା ଏବଂ କୃଷି ଜାତ ଦ୍ରବ୍ୟରେ କୀଟନାଶକ ଯାଞ୍ଚ କରିବା ପାଇଁ ଆବଶ୍ୟକୀୟ ଆଧୁନିକ ଉପକରଣ ଯେପରିକି ଗ୍ୟାସ୍ କ୍ରୋମାଟୋଗ୍ରାଫି ଏବଂ ମାସ୍ ସ୍ପେକ୍ଟ୍ରୋମେଟ୍ରି ନାହିଁ । ଫଳରେ ନମୁନାଗୁଡ଼ିକୁ ପ୍ରାଇଭେଟ୍ ଲ୍ୟାବ୍କୁ ପଠାଇବାକୁ ପଡ଼ୁଛି ଏବଂ ରିପୋର୍ଟ ଆସିବାରେ ବହୁତ ସମୟ ଲାଗୁଛି । ପେଷ୍ଟିସାଇଡ୍ ଆକ୍ସନ ନେଟୱର୍କର ରିପୋର୍ଟ ଅନୁଯାୟୀ, ଖାଦ୍ୟ ପଦାର୍ଥରେ କୀଟନାଶକର ମାତ୍ରା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ।

ଗ୍ଲୋବାଲ୍ ଟ୍ରେଡ୍ ଏବଂ ଭାରତର ଲକ୍ଷ୍ୟ:

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚାଷଜମି ଥାଇ ମଧ୍ୟ ବିଶ୍ୱ କୃଷି ବାଣିଜ୍ୟରେ ଭାରତର ଅଂଶଧନ ମାତ୍ର ୨.୨% ରୁ ୨.୪% ଅର୍ଥାତ୍ ପ୍ରାୟ ୫୦ ବିଲିୟନ ଡଲାର ରହିଛି । ଭାରତର କୃଷି ରପ୍ତାନି ୨୦୧୯-୨୦ ରେ ୩୪.୫ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୨୪-୨୫ ରେ ୫୧.୧ ବିଲିୟନ ଡଲାରରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଯଦି ଆନ୍ତର୍ଜାତୀୟ ସ୍ତରରେ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠେ, ତେବେ ବିଶ୍ୱ ବଜାରରେ ଭାରତର ବିଶ୍ୱସନୀୟତା ହ୍ରାସ ପାଇବାର ଆଶଙ୍କା ରହିଛି । ସରକାର ତୁରନ୍ତ ନିୟମ ପାଳନର ଢାଞ୍ଚା ସୁଦୃଢ଼ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।