ମାଲକାନଗିରି/ପଡିଆ, ୨୫/୧୧(ଆପ୍ର ) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କତାଗୁଡା ଗ୍ରାମ ନିକଟରେ ମଙ୍ଗଳବାର ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି।

ମାଲକାନଗିରି ଅଞ୍ଚଳର ତିନି ଯୁବକ ଓ ନିଲିଗୁଡା ଗ୍ରାମର ଜଣେ ଯୁବକ ଏକ କାର ଯୋଗେ ପଡିଆ ବଜାରକୁ ଆସି ଫେରୁଥିଲେ। ଫେରିବା ବାଟରେ କତାଗୁଡା ଗ୍ରାମ ନିକଟ ମୋଡ଼ରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ଯାଇଥିଲା। ଘଟଣାସ୍ଥଳରେ ଅମରେଶ ଦେବ ମଣ୍ଡାଙ୍ଗିଙ୍କ ମୃତ୍ୟୁ ଘଟିଥିଲା। ମନୋଜ ମଣ୍ଡଳ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ସମୟରେ ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିବା ସହ ପଡିଆ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ସୁଚନା ପାଇ ପଡିଆ ଅଗ୍ନିଶମ ଅଧୂକାରୀ ବିରେନ୍ଦ୍ର ସିଂ ଏକ ଟିମ୍ ନେଇ ଘଟଣା ସ୍ଥଳରେ ପହଂଚି ଆହତ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ । ଏ ନେଇ ସୂଚନା ପାଇ ପଡିଆ ଥାନା ଏସଆଇ ନିରୋଦ କୁମାର ବାଘ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।