ମନମୁଣ୍ଡା, ୧୩।୧୨ : ମନମୁଣ୍ଡା ଥାନା ଗୁଦୁଗୁଦା ସାପ୍ତାହିକ ଗୋରୁ ବଜାରରେ ଗତ ୧୦ ତାରିଖରେ ଆକ୍ରମଣରେ ବାଉଁଶୁଣି ଥାନା ତାଲୁପାଲି ଗ୍ରାମର ଦୁର୍ଯ୍ୟୋଧନ ମହାକୁଡ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ବଡ଼ ଭାଇ ରତନ ମହାକୁଡ ଗୁରୁତର ହୋଇଥିଲେ। ଏହି ଘଟଣା ରେ ସଂପୃକ୍ତ ୩ ଅଭିଯୁକ୍ତକୁ ମନମୁଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେଥିରେ ସଂପୃକ୍ତ ଜଣେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ମନମୁଣ୍ଡା ଥାନା ଦହ୍ୟା ଗ୍ରାମ ର ଆଲୋକ ସାହୁ (୨୫), କିରାସିରାର ପ୍ରଶାନ୍ତ ଜଗଦଲା (୨୭) ଏବଂ ଋଷିବନ୍ଧ ଗ୍ରାମ ର ଜଗନ ସାହୁ (୨୨) । ମନମୁଣ୍ଡା ଆଇ ଆଇ ସି ସସ୍ମିତା ମଗର ଓ ଅନ୍ୟ ଅଧିକାରୀ ଙ୍କ ଉପସ୍ଥିତିରେ ଏସ ଡି ପି ଓ ଲାରେନ ରାଉତରାୟ ଥାନା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହା ଜଣାଇଛନ୍ତି।
ଏସ ଡି ପି ଓ ଶ୍ରୀ ରାଉତରାୟଙ୍କ କହିବା ଅନୁଯାୟୀ ୩ ଅଭିଯୁକ୍ତ ଙ୍କ ସମେତ ସରୋଜ ଉର୍ମା, ସିଦ୍ଧାନ୍ତ ଖୁରା, ଚନ୍ଦନ ଖୁରା ମାନେ ପୂର୍ବ ଶତ୍ରୁତା ର ପ୍ରତିଶୋଧ ନେବା ପାଇଁ ଲୁହା ଛଡ ରେ ଆକ୍ରମଣ କରିଥିଲେ। ସେଥିରେ ଦୁର୍ଯ୍ୟୋଧନ ର ମୃତ୍ୟୁ ହୋଇଥିବାବେଳେ ରତନ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ୧୧ ତାରିଖରେ ପୁଲିସ ଫରେନ୍ସିକ ଦଳ ଓ ସନ୍ଧନୀ କୁକୁର କୁ ଘଟଣା ସ୍ଥଳ କୁ ନେଇ ବୈଷୟିକ ଜ୍ଞାନ ଓ ମାନବ ବୁଦ୍ଧି ପ୍ରୟୋଗ କରି କୋର୍ଟ ଚାଲାଣ କରାଯାଇଥିବା ୩ ଅଭିଯୁକ୍ତ କୁ ଗିରଫ କରିଥିଲେ। ତେବେ ଉକ୍ତ ଘଟଣା ରେ ସଂପୃକ୍ତ ଅନ୍ୟ ୪ ଅଭିଯୁକ୍ତ ସିଦ୍ଧାନ୍ତ ଖୁରା , ଚନ୍ଦନ ଖୁରା , ଗୌର ପାତ୍ର ଏବଂ ଚମରା ପାତ୍ର ଫେରାର ଥିବା ତଥା ସେମାନଙ୍କୁ ଅଦ୍ୟାବଧି ଗିରଫ କରାଯାଇ ନ ଥିବା ଏସ ଡି ପି ଓ ଶ୍ରୀ ରାଉତରାୟ କହିଥିଲେ।