ଟିକାବାଲି,୬/୫ :ଟିକାବାଲି ଥାନା ଅନ୍ତର୍ଗତ ଗୁଡ୍ରିଗାଁ ଠାରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ଗୁଡାରୀ ସାହିର ପାକଲି ମୂଖୀ । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବୀରେ ଲୋକମାନେ ରାସ୍ତାରୋକ କରିଛନ୍ତି।
ମଙ୍ଗଳବାର ଅପରାହ୍ନରେ ଗୁଡାରୀ ସାହିର ପାକଲି ମୂଖୀ କୌଣସି କାମରେ ଶଙ୍କରାଖୋଲ ଯାଇ ଫେରୁଥିଲେ। ଏହି ସମୟରେ ବ୍ରହ୍ମପୁର ପଟୁ ଦ୍ରୁତଗତିରେ ଫୁଲବାଣୀ ଆଡକୁ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ପ୍ରତିବାଦରେ ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ ବିଜୟବାଡା- ରାଞ୍ଚି କରିଡର ଅବରୋଧ କରିଥିଲେ। ଖବର ପାଇ ଟିକାବାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛି। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଲୋକେ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି।