ଭଞ୍ଜନଗର,୩/୧୧(ଆପ୍ର): ବାଇବାଲି ଜଙ୍ଗଲର ଭାଗ ନମ୍ବର -୬ ର ବାଣିଆପଲ୍ଲୀ ଗାଁ ପାଖ ଜଙ୍ଗଲରେ ଏକ ହାତୀକୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ବନ କର୍ମଚାରୀମାନେ ଉମାକାନ୍ତ ପ୍ରଧାନ ଓରଫ ନଣ୍ଡା (୫୦)ଙ୍କୁ ରବିବାର ରାତିରେ ବାଣିଆପଲ୍ଲୀ ଗାଁରୁ ଗିରଫ କରିଛନ୍ତି। ଏଥିସହ ତା’ ନିକଟରୁ ୩ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ଦେଶୀ ବୁଲେଟ୍ ଓ ଗୁଳିରେ ମିଶାଉଥିବା ବିଷାକ୍ତ ବିସ୍ଫୋରକ ଜବତ କରାଯାଇଛି। ଏ ସଂପର୍କରେ ମୁଜାଗଡ ରେଞ୍ଜ କାର୍ଯ୍ୟାଳୟରେ ସୋମବାର ଡିଏଫଓ ହିମାଂଶୁ ଶେଖର ମହାନ୍ତି , ଏସିଏଫ ବିବେକ ଦାଶ, ବିମଳ ପ୍ରଧାନ ଓ ରେଞ୍ଜର ବିମ୍ବାଧର ସାହୁ ସୂଚନା ଦେଇଛନ୍ତି।
ଉମାକାନ୍ତ ପ୍ରଧାନ ଓରଫ ନଣ୍ଡା ଗତ ଗୁରୁବାର ରାତିରେ ନିଜ ଧାନ ଜମିକୁ ଜଗିବାକୁ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଧରି ଯାଇଥିଲା। ଏହି ସମୟରେ ୨୪ ଦଳିଆ ହାତୀ ପଲ ମଧ୍ୟରୁ ୨ ଟି ହାତୀ ତାର ଧାନ ଜମିରେ ପଶିଥିଲେ। ଆଉ ହାତୀକୁ ଦେଖି ସେ ପ୍ରଥମେ ନିଜ ସହ ନେଇଥିବା ୨ ଟି ବାଣ ଫୁଟାଇ ଥିଲା। ଆଉ ହାତୀ ଜମିରୁ ନଯିବା ଓ ତା ଆଖି ଆଗରେ ଧାନ ଫସଲ ଖାଇବା ଦେଖି ହାତରେ ଧରିଥିବା ବନ୍ଧୁକରୁ ଗୁଳି ଫୁଟାଇ ଥିଲା। ପରେ ସେ ଘଟଣା ସ୍ଥଳରୁ ଖସି ଆସି ନିଜ ଜମି ପାଖରେ ଏକ ବୁଦା ମୂଳେ ପାଲ ଘୋଡାଇ ବନ୍ଧୁକ ରଖି ଘରକୁ ଚାଲିଯାଇଥିଲା। ଅପରପକ୍ଷରେ ହାତୀଟି ମରିଥିବା ନେଇ ବନ କର୍ମଚାରୀମାନେ ଶନିବାର ଜାଣିବାକୁ ପାଇଥିଲେ। ଶବ ବ୍ୟବଚ୍ଛେଦ ବେଳେ ହାତୀର ଆଗ ପଟର ଡାହାଣ ଗୋଡ ସନ୍ଧିରେ ଗୁଳି ମାଡ ହୋଇଥିବା ଜଣାପଡିଥିଲା। ହାତୀଟି ଘଟଣାସ୍ଥଳରୁ ପାଖାପାଖି ୪ ଶହ ମିଟର ଯାଇ ପଡ଼ିଯାଇଥିଲା ଓ ସେଠାରେ ହିଁ ହାତୀ ମୃତ୍ୟୁ ଘଟିଥିଲା ବୋଲି ଡିଏଫଓ ମହାନ୍ତି ସୂଚନା ଦେଇଛନ୍ତି।
ରବିବାର ରାତିରେ ବାଣିଆପଲ୍ଲୀ ଗାଁ ରେ ବନ ବିଭାଗ ପକ୍ଷରୁ ଫରେଷ୍ଟର ଟୁନା ମଳିକ, ବବୁଲ କୁମାର ସେଠୀ, ଅନୁପ କୁମାର ବିଷୋୟୀ ଓ ରାଜେନ୍ଦ୍ର ଦଳେଇଙ୍କ ସମେତ ବହୁ ଗଜସାଥୀ ଚଢାଉ କରି ଅଭିଯୁକ୍ତକୁ ଧରିଥିଲେ। ଏଥିସହ ସେ ଲୁଚାଇ ରଖିଥିବା ୩ ଟି ଦେଶୀ ବନ୍ଧୁକ (ଗୋଟିଏ ଖରାପ) ସହ ସମସ୍ତ ବିସ୍ଫୋରକ ଓ ଦେଶୀ ଗୁଳି ସବୁ ଜବତ କରିଥିଲେ।