: ସୋମବାର ଆସିବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌’ । କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲଙ୍କ ଦ୍ୱାରା ସଂସଦରେ ଏହି ବିଲ୍‌ ଉପସ୍ଥାପନ କରାଯିବ । ଗତ ଗୁରୁବାର ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ସରକାର ଏହି ବିଲ୍‌ ଆଣିବା ପରେ ପୁଣି ସରଗରମ ହୋଇପଡ଼ିବ ସଂସଦ । 

ସଂସଦର ଚଳିତ ଶୀତ ଅଧିବେଶନରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ ’ ବିଲ ଉପସ୍ଥାପନ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ସୋମବାର ଅର୍ଥାତ୍ ଆଜି ଏହି ବିଲ୍‌ ଆସିବ ବୋଲି ସୂଚନା ମିଳିଛି । ସଂସଦର କାର୍ଯ୍ୟସୂଚୀକୁ ନେଇ ଏହି ସୂଚନା ମିଳିଛି । କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲଙ୍କ ଦ୍ୱାରା ଏହି ବିଲ୍‌ ଉପସ୍ଥାପନ କରାଯିବ । ତେବେ ସରକାର ଏହି ବିଲ୍‌ ଆଣିବା ପରେ ସଂସଦ ପୁଣି ସରଗରମ ହୋଇପଡ଼ିବ ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିଛନ୍ତି । କାରଣ ସରକାର ଏହି ବିଲ୍‌ ଆଣିବାକୁ ଚାହୁଁଥିଲା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେବେ ଏହି ବିଲ୍‌ ସଂସଦରେ ଉପସ୍ଥାପନ ହେବା ପରେ ଏହାର ଅନୁମୋଦନ ନେଇ ସନ୍ଦେହ ରହିଛି । କାରଣ ବିଲ୍‌ ଉପରେ ତର୍ଜମା କରିବା ଲାଗି ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଯାଇପାରେ । କମିଟି ରିପୋର୍ଟ ଆସିଲା ବେଳକୁ ଶୀତ ଅଧିବେଶନ କାର୍ଯ୍ୟକାଳ ଶେଷ ହୋଇଯିବାର ଆଶଙ୍କା ରହିଛି । ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ବ୍ୟତୀତ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ମଧ୍ୟ ସୋମବାର ବିଲ୍‌ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । 

ତେବେ ଏହି ବିଲକୁ କଂଗ୍ରେସ, ଆପ୍ ସମେତ କିଛି ଦଳ ବିରୋଧ କରୁଛନ୍ତି । ୱାନ ନେସନ ୱାନ ଇଲେକସନ ନେଇ ଗତ ୨୦୨୩ ସେପ୍ଟେମ୍ବର ୨ରେ ଗଠିତ ହୋଇଥିଲା କମିଟି । କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ୍, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଥିଲେ ।