କୁଆଁପାଳ,୨୧/୦୭: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କଇଥା ଗ୍ରାମ ପଞ୍ଚାୟତ କନକେଇ ଠାକୁରାଣୀଙ୍କ ପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଆସି ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଜଶୋରାଜପୁର ଗାଁର ୫୩ ବର୍ଷୀୟ ପ୍ରଫୁଲ୍ଲ ମହାରଣାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ମାହାଙ୍ଗା ବ୍ଲକ୍ କଇଥା ଗ୍ରାମପଞ୍ଚାୟତ କନକେଇ ଠାକୁରାଣୀଙ୍କ ପୀଠ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା । ଏହି ସମୟରେ ପ୍ରଫୁଲ୍ଲ ନିଜ ଘରୁ ବାହାରି ସେହି ରାସ୍ତା ଦେଇ ଯାଉଥିଲେ । ଉକ୍ତ ଟ୍ରକ୍ଟି ପ୍ରଫୁଲ୍ଲଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରଫୁଲ୍ଲଙ୍କ ଛାତି ଉପରେ ଟ୍ରକ୍ଟି ଚଢ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ହେଲେ ସେଠାରେ ଡାକ୍ତର ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ମାହାଙ୍ଗା ଥାନା ଅଧିକାରୀ ତପନ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି ।