ମାଲକାନଗିରି, ୨୦/୦୮: ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ହିଂସା କାଣ୍ଡ ଦେଖିବାକୁ ମିଳିଛି । ଜଣେ ଆଦିବାସୀଙ୍କୁ ଅତି ବର୍ବରତା ସହ ହତ୍ୟା କରିଛନ୍ତି ଲାଲ୍ବାହିନୀ । ପୁଲିସ ଇନଫର୍ମର ସନ୍ଦେହରେ ବିଣାଗୁଣ୍ଡା ଗାଁର ଜଣେ ଯୁବକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି ।
ସୂଚନା ମୁତାବକ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ମାଓ ହିଂସା। ଗତ ସୋମବାର ରାତିରେ ଛୋଟେବେଠିଆ ଥାନା ଅନ୍ତର୍ଗତ ବିଣାଗୁଣ୍ଡା ଗାଁର ମନୀଷ ନୁରୁତିଙ୍କୁ ସଶସ୍ତ୍ର ମାଓବାଦୀମାନେ ଘରୁ ଉଠାଇ ନେଇଥିଲେ । ମଙ୍ଗଳବାର ଦିନ ପ୍ରଜାକୋର୍ଟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି । ଅନ୍ୟ ଦୁଇ ଆଦିବାସୀ ଯୁବକଙ୍କୁ ମାଡ଼ ମାରି ଛାଡି ଦେଇଛନ୍ତି । ଏନେଇ ମାଓବାଦୀଙ୍କ ପରତାପୁର ଏରିଆ କମିଟି ବ୍ୟାନର ଲଗାଇ ହତ୍ୟା କରିଥିବା ନେଇ ସୂଚନା ଦେଇଛି। ପୁଲିସ ଇନଫର୍ମର ସନ୍ଦେହରେ ଶହ ଶହ ଗ୍ରାମବାସୀଙ୍କ ସମ୍ମୁଖରେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ବାହିନୀ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।