ନୂଆଦିଲ୍ଲୀ ୧୮/୧୨:  ଉତ୍ତର ଆଟ୍‌ଲାଣ୍ଟିକ୍‌ର ସୁଦୂର ବରଫାଚ୍ଛନ୍ନ ଜଳରାଶିରେ ଏକ ଛୋଟ ଦ୍ୱୀପ ଅବସ୍ଥିତ, ଯାହା ଅସଂଖ୍ୟ ରହସ୍ୟ ଓ ଅସମାହିତ ପ୍ରଶ୍ନକୁ ନିଜ ଭିତରେ ସାଇତି ରଖିଛି । ଉପରେ ସୌନ୍ଦର୍ଯ୍ୟମୟ ନୀଳ ଆକାଶ । ତଳେ ବିଶାଳ ସମୁଦ୍ର ଦ୍ୱାରା ପରିବେଷ୍ଟିତ ଏହି ଦ୍ୱୀପରେ ପକ୍ଷୀଙ୍କ ସଂଖ୍ୟା ଲୋକସଂଖ୍ୟାଠୁ ଢେର ଅଧିକ । କିନ୍ତୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟଭରା ଏହି ସ୍ଥାନରେ ଜୀବନଧାରଣ ଅତ୍ୟନ୍ତ ଆହ୍ୱାନଭାରା ଓ ଅନିଶ୍ଚିତ । କାରଣ ଦ୍ୱୀପର ଅତି ଛୋଟ ମାନବ ସମୁଦାୟ ବଞ୍ଚିବା ପାଇଁ ନିରନ୍ତର ସଂଘର୍ଷ କରୁଛି । ଦ୍ୱୀପର ନାଁ ଗ୍ରିମ୍‌ସି ।

ଆଇସ୍‌ଲାଣ୍ଡର ମୁଖ୍ୟ ଦ୍ୱୀପର ଉତ୍ତର ତଟରେ ୪୦ କିମି ଦୂରରେ ଏହି ଛୋଟ ଦ୍ୱୀପ ଅବସ୍ଥିତ । ଅନେକ ଗଣମାଧ୍ୟମର ତଥ୍ୟ ଅନୁସାରେ, ପ୍ରତି ଗ୍ରୀଷ୍ମଋତୁରେ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ପକ୍ଷୀ ଗ୍ରିମ୍‌ସି ଦ୍ୱୀପରେ ଡେରା ଜମାନ୍ତି । ପଫିନ୍ସ, ଆର୍କଟିକ୍‌ ଟର୍ନସ, ରେଜର୍‌ବିଲ୍ସ ଓ ଗ୍ୱିଲୋମୋଟ୍‌ସ ଏଠାକୁ ନିରନ୍ତର ଆସୁଥିବା କିଛି ଜଣାଶୁଣା ପକ୍ଷୀ ପ୍ରଜାତି । ତେଣୁ ପକ୍ଷୀପ୍ରେମୀଙ୍କ ପାଇଁ ଗ୍ରିମ୍‌ସି ଦ୍ୱୀପ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ । ତେବେ ଏହି ଦ୍ୱୀପ କେବଳ ପକ୍ଷୀଙ୍କ ବାସସ୍ଥଳୀ ନୁହେଁ, ଆଇସ୍‌ଲାଣ୍ଡ ମେଣ୍ଡା ଓ ଘୋଡ଼ା ଏଠାରେ ନିର୍ଭୟରେ ବିଚରଣ କରନ୍ତି । ଦ୍ୱୀପର ଆବଡ଼ାଖାବଡ଼ା ଭୂମିରେ ଏମାନଙ୍କ ବିଚରଣ ଏ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରେ । ଏହାର ଅନନ୍ୟ ସୌନ୍ଦର୍ଯ୍ୟ ସ୍ୱପ୍ନ ରାଇଜର ଦୃଶ୍ୟ ଭଳି ମନେହୁଏ । 

ଦୀର୍ଘ ଶତାବ୍ଦୀ ଧରି ଏହି ଦ୍ୱୀପ ପୃଥିବୀର ଅନ୍ୟତମ ସବୁଠୁ ଦୂର ସ୍ଥାନ ଥିଲା । ବର୍ଷରେ ମାତ୍ର ଦୁଇ ଥର ଏଠାକୁ ଡଙ୍ଗା ଆସୁଥିଲା ଏବଂ ସ୍ଥାନୀୟ ଲୋକେ ବଞ୍ଚିବା ପାଇଁ ନିଜସ୍ୱ କୌଶଳ ଓ ସୃଜନଶୀଳତା ଉପରେ ନିର୍ଭର କରୁଥିଲେ । ଏବେ କିନ୍ତୁ ଦ୍ୱୀପ ଭ୍ରମଣ ପୂର୍ବାପେକ୍ଷା ସହଜ ହୋଇଛି । ତଥାପି ଏଠାରେ ଜୀବନଧାରଣ ଅତ୍ୟନ୍ତ କଷ୍ଟକର । ଏଠାରେ ଶୀତଋତୁର ଅବଧି ବହୁତ ଲମ୍ବା ହୋଇଥିବାବେଳେ ତାପମାତ୍ରା ସର୍ବଦା ବିଯୁକ୍ତ ଡିଗ୍ରୀରେ ରହେ । ତା’ ସାଙ୍ଗକୁ କାଲୁଆ ପବନ ଲୋକଙ୍କ ବଞ୍ଚିବା ମୁସ୍କିଲ କରିଦିଏ । 

ମାଛଧରା ଦ୍ୱୀପବାସୀଙ୍କ ମୁଖ୍ୟ ଜୀବିକା । କିନ୍ତୁ ଏହା ଉପରେ ସରକାରଙ୍କ କଟକଣା ଲୋକଙ୍କ ବଞ୍ଚିବାକୁ ଆହୁରି ଜଟିଳ କରିଛି । ଅନେକ ବାଧ୍ୟହୋଇ ମାଛଧରା କାମ ବନ୍ଦ କରିଦେଇଛନ୍ତି । ଖରାଦିନେ ପର୍ଯ୍ୟଟନରୁ ଲୋକଙ୍କର କିଛି ମାତ୍ରାରେ ଆୟ ହେଉଥିଲେ ହେଁ, ତାହା ବର୍ଷସାରା ଆର୍ଥିକ ସମର୍ଥନ ପାଇଁ ଯଥେଷ୍ଟ ନୁହେଁ । ଗ୍ରିମ୍‌ସିରେ ଦିନେ ଜନସଂଖ୍ୟା ବହୁତ ଅଧିକ ଥିଲା । କିନ୍ତୁ ଏବେ ମାତ୍ର ୨୦ ଜଣ ଅଛନ୍ତି । ଶୀତଦିନେ ଦ୍ୱୀପର ଅଧିକାଂଶ ଘର ଖାଲି ହୋଇଯାଏ । ଭଲ ସୁଯୋଗ ଅନ୍ୱେଷଣରେ ଅଧିକାଂଶ ଲୋକ ଯୋଗାଯୋଗର ମୁଖ୍ୟ ସ୍ଥାନକୁ ଚାଲିଯାଆନ୍ତି । ଗ୍ରୀଷ୍ମଋତୁରେ ପକ୍ଷୀଙ୍କ ସଙ୍ଗମ ଓ ମେରୁର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଗ୍ରିମ୍‌ସି ଦ୍ୱୀପରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । କିନ୍ତୁ ସେମାନେ ଚାଲିଯିବା ପରେ ଏହି ସ୍ଥାନ ପୂଣି ଶୂନ୍‌ଶାନ ହୋଇଯାଏ । ଗ୍ରିମ୍‌ସି କେବଳ ପକ୍ଷୀଙ୍କ ବାସସ୍ଥଳୀ ନୁହେଁ, ଆଇସ୍‌ଲାଣ୍ଡ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରାରମ୍ଭିକ ସମୟରୁ ଲୋକେ ଏଠାରେ ରହିଛନ୍ତି । ଏଭଳି ଏକ ସୁଦୂର ଓ ଜଟିଳ ସ୍ଥାନରେ ବଞ୍ଚିବାର ସେମାନଙ୍କ ସାମର୍ଥ୍ୟ ଓ ଦୃଢ଼ ସଂକଳ୍ପର ଏହା ପ୍ରମାଣ ଦିଏ ।