ପ୍ରମୂଖ ଖବର
  • ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ପଞ୍ଚକରେ ବି ଖସୁନି ପିଆଜ ଦର: ଖୁଚୁରା ବଜାରରେ କିଲୋ ୭୦ ଟଙ୍କାରେ ବିକ୍ରି, ଛାଡ଼ଖାଇରେ ୮୦ ଟପିଯିବ

Published By : Prameya | November 12, 2024 12:30 PM

କଟକ,୧୨/୧୧: କାର୍ତ୍ତିକ ମାସ  ପଞ୍ଚକରେ ବି ପିଆଜ ଦର ବଢିଲା । ୧୫  ଦିନ ଭିତରେ କିଲୋ ପିଛା ପାଖାପାଖି  ୩୦ଟଙ୍କା ବଢ଼ିସାରିଲାଣି ପିଆଜ । ଖୁଚୁରା ବଜାରରେ ପିଆଜ କିଲୋ ୭୦ଟଙ୍କା । ଏବେ ପଞ୍ଚକ ଚାଲିଥିବାରୁ ଅବଶ୍ୟ ପିଆଜକୁ ନେଇ ହୋହାଲ୍ଲା ବେଶି ନାହିଁ । କିନ୍ତୁ ପଞ୍ଚକରେ ପିଆଜର ଚାହିଦା ସେତେ ଅଧିକ ନଥିବା  ସତ୍ତେ୍ୱ ଦର ବୃଦ୍ଧି ବିସ୍ମୟ ସୃଷ୍ଟି କରିଛି । ଅନ୍ୟପକ୍ଷରେ ୧୫ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଟପିବା ପରେ ପିଆଜ ଦର ଗରାଖଙ୍କୁ ନୟାନ୍ତ କରିବ ବୋଲି ସ୍ପଷ୍ଟ ହୋଇଗଲାଣି । କାରଣ ବଜାର ସ୍ଥିତି କହୁଛି, ଆସନ୍ତା ତିନି ସପ୍ତାହ ଯାଏ ପିଆଜ ଦର କମିବନାହିଁ । ନାସିକ୍‌ ଓ କୁର୍ନୁଲ୍‌ରୁ ପିଆଜ ନଆସିବା ଯାଏ ବଜାରକୁ ସମ୍ଭାଳିବା ମୁସ୍କିଲ୍‌ । ସେ  ଯାଏ ଚଳାଇ ନେବା ଭଳି ଓଡ଼ିଶାର ଉତ୍ପାଦନ ବି  ନାହିଁ । ତେଣୁ ପିଆଜ ସାଧାରଣ ଖାଉଟିଙ୍କ ଲାଗି ଏବେ ଅଡୁଆ ସ୍ଥିତି ସୃଷ୍ଟି କରିଛି ।  

ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ  ଓଡ଼ିଶା ବଜାରକୁ ବାର୍ଷିକ ଦରକାର ପଡେ  ପାଖାପାଖି ୫ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ।  ମାସକୁ ହାରାହାରି ୪୦ ହଜାର ଟନ୍‌ରୁ ଅଧିକ  ପିଆଜ ଖାଇଥାନ୍ତି ଓଡ଼ିଶାବାସୀ । ଆବଶ୍ୟକତା  ଅନୁପାତରେ ଓଡ଼ିଶାର ପିଆଜ ଉତ୍ପାଦନ  ଯଥେଷ୍ଟ କମ୍‌ । ବାର୍ଷିକ ଓଡ଼ିଶାର୬୦ହଜାର ଟନ୍‌ ପିଆଜ ଅମଳ କରାଯାଉଛି । ଓଡ଼ିଶାର ମୋଟ୍‌ ପିଆଜ  ଉତ୍ପାଦନର ପ୍ରାୟ ୮୦ଭାଗ ଟିଟିଲାଗଡ଼, ଅନୁଗୁଳରୁ ଆସିଥାଏ । କିନ୍ତୁ  ଘରୋଇ ଅମଳ ଦୁଇମାସକୁ ବି ନିଅଣ୍ଟ ପଡେ । ଏଭଳି ସ୍ଥିତିରେ  ଓଡ଼ିଶା ପିଆଜ ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର  ଉପରେ ଯଥେଷ୍ଟ ନିର୍ଭରଶୀଳ । ପ୍ରତିଦିନ ଓଡ଼ିଶା ବଜାରକୁ ଏହି ଦୁଇ  ଅଞ୍ଚଳରୁ ୨୦ ଗାଡ଼ି ପିଆଜ ଆସିଥାଏ। କଟକ ଛତ୍ରବଜାର ଦୈନିକ ୫  ଟ୍ରକ୍‌ ବୋଝେଇ ପିଆଜ ଗାଡ଼ି ଗଡ଼ିଥାଏ, ଯାହାର ପରିମାଣ ପାଖାପାଖି  ୮୦ ରୁ ୧୦୦ ଟନ୍‌ । ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ଆନ୍ଧ୍ର ପିଆଜ  ରାଜୁତି କରୁଥିବା ବେଳେ ବର୍ଷର ଅନ୍ୟ ସମୟରେ ନାସିକ୍‌ ପିଆଜର  ବଜାର ଦଖଲ ଥାଏ । 

ଯେହେତୁ ୫ ମାସ ନାସିକ୍‌ରୁ ପିଆଜ ଆମଦାନୀ ସ୍ୱାଭାବିକଠାରୁ  ଧିମା ଚାଲେ ତେଣୁ ଆନ୍ଧ୍ର ପିଆଜ ଦର ଏହି ସମୟରେ କିଲୋ ପିଛା  ୫୦ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ୧୫ଦିନ ପୂର୍ବରୁ କଟକ ଖୁଚୁରା ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୪୫ ରୁ ୫୦ଟଙ୍କା ରହିଥିଲା । କିନ୍ତୁ ଗତ  ଦୁଇଦିନ ଭିତରେ ପିଆଜ ଦର ହଠାତ୍‌ ଦୁଇଗୁଣା ପର୍ଯ୍ୟନ୍ତ ବଢ଼ିଗଲା ।  ବ୍ୟବସାୟୀଙ୍କ କହିବା କଥା, ବର୍ଷା ଯୋଗୁଁ ନାସିକ୍‌ ଅମଳ ପ୍ରଭାବିତ  ହୋଇଛି । ଏମିତିକି ଆନ୍ଧ୍ର ପିଆଜ ମଧ୍ୟ ଆମଦାନୀ କମିଆସିଲାଣି । ତେଣୁ  ବଜାର ଚାହିଦାକୁ ଦେଖି ଷ୍ଟକ୍‌ ପଏଣ୍ଟରେ ମୂଲ୍ୟ ବୃଦ୍ଧି କରାଯାଉଛି ।  

ଯାହାଫଳରେ ଆଜି କଟକ ହୋଲସେଲ୍‌ ବଜାରରେ ଆନ୍ଧ୍ର ପିଆଜ  କିଲୋ ୫୫ ଟଙ୍କା, ନାସିକ୍‌ ପିଆଜି କିଲୋ ୬୫ ଟଙ୍କା ରହିଛି । ଯେହେତୁ  ନାସିକ୍‌ ପିଆଜ ଷ୍ଟକ୍‌ କମିଆସୁଛି, ତେଣୁ ଖୁଚୁରା ବ୍ୟବସାୟୀମାନେ  ଆନ୍ଧ୍ର ପିଆଜ ୫୫ ଟଙ୍କାରେ କିଣି ୭୦ ଟଙ୍କାରେ ବିକ୍ରି କରିବା ଆରମ୍ଭ  କରିଛନ୍ତି । ସାଧାରଣ ଖାଉଟି ନାସିକ୍‌ ଓ ଆନ୍ଧ୍ର ପିଆଜ ଭିତରେ ଫରକ୍‌  ବାରିବାର କ୍ଷମତା ରଖୁନଥିବାରୁ ବ୍ୟବସାୟୀମାନେ ଏବେ ମନଇଚ୍ଛା  ଦର ହାଙ୍କିବା ଆରମ୍ଭ କଲେଣି । ପିଆଜର ମୂଲ୍ୟ ବୃଦ୍ଧିକୁ ନେଇ ଖୁଚୁରା  ବ୍ୟବସାୟୀ ବି ନିଜ କଥା ରଖୁଛନ୍ତି । ସେମାନଙ୍କ କହିବା କଥା, ପିଆଜ  ବସ୍ତା ଆଣିବା ପରେ ସେଥିରୁ ଦାଗି, ପଚା ବାହାରୁଛି । ଟ୍ରଲି ଭଡ଼ା ଓ  କଣ୍ଟା ପଇସା ଦେବା ପରେ ଲାଭ ହାତକୁ ଲାଗୁନାହିଁ ।  

ପିଆଜ ଦର ବୃଦ୍ଧି ସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ  ସଂଘର ସମ୍ପାଦକ ଦେବେନ୍ଦ୍ରନାଥ ସାହୁ କହନ୍ତି, ନାସିକ୍‌ ଆମଦାନୀ  ନଆସିବା ଯାଏ ପିଆଜ ଦର ବଢିବ । ଷ୍ଟକ୍‌ ପଏଣ୍ଟରେ ମୂଲ୍ୟ  ବଢିରହୁଥିବାରୁ ଆମଦାନୀ ଆମେ କମାଇ ସାରିଛୁ । ଏବେ ଦୈନିକ  ହାରାହାରି ୨ ଗାଡ଼ି ପିଆଜ ଆସୁଛି । ଆଗକୁ କିଛି ଦିନ ପର୍ଯ୍ୟନ୍ତ ଏଭଳି  ସମସ୍ୟା ଲାଗିରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ  ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା  କହିଛନ୍ତି, ନୂଆ ଷ୍ଟକ୍‌ ଆସିବା ଧିରେ ଧିରେ ଆରମ୍ଭ ହେବ । ଆଜି ଭଲ  ପିଆଜର ହୋଲସେଲ୍‌ ମୂଲ୍ୟ କିଲୋ ପିଛା ୫୫ ରୁ ୫୭ଟଙ୍କା ରହିଛି ।  ତେଣୁ ସ୍ୱାଭାବିକ ଭାବେ ଖୁଚୁରା ବଜାରରେ ଦର ଚଢା ରହୁଛି । ତା’  ଛଡ଼ା ଦର ବୃଦ୍ଧି ସରକାରଙ୍କ ନୀତି ଉପରେ ନିର୍ଭର କରୁଛି । କର୍ପୋରେଟ୍‌  ହାଉସ୍‌ମାନେ ବଜାର ଦର ନିୟନ୍ତ୍ରଣ କରିବାରୁ ଖାଉଟି ହନ୍ତସନ୍ତ  ହେଉଛନ୍ତି ବୋଲି ଶ୍ରୀ ପଣ୍ଡା ମତ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.