ନୂଆଦିଲ୍ଲୀ: ସୋମବାର ରାଜସ୍ଥାନର କୋଟା ଅଞ୍ଚଳରେ ରହୁଥିବା ଜଣେ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି। କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଅନଲାଇନ ଜୁଆରେ ୫ ଲକ୍ଷ ଟଙ୍କା ହରାଇବା ପରେ ମାନସିକ ଚାପରେ ଏହି ଦମ୍ପତ୍ତି ନେଇଛନ୍ତି ଏମିତି କିଛି ଚରମ ନିଷ୍ପତ୍ତି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି। 

ଆତ୍ମହତ୍ୟା କରିଥିବା ଦମ୍ପତ୍ତି ଦ୍ୱୟଙ୍କ ନାମ ଦୀପକ ରାଥୋଡ ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି। ଉଭୟ ଦମ୍ପତ୍ତି ଖେଡା ରାମପୁର ଅଞ୍ଚଳରେ ଥିବା ନିଜ ଘରେ ଥିବା ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇ କହିଛି ଯେ ଦମ୍ପତି ଦ୍ୱୟ ଗତ ରବିବାର ରାତିରେ ନିକଟସ୍ଥ ବଜାରକୁ ଯାଇ ଏକ ନାଇଲନର ରସି କିଣିଥିଲେ। ରବିବାର ରାତିର ରାତ୍ରୀ ଭୋଜନ ସାରିବା ପରେ ସେମାନେ ଏହି ଚରମ ନିଷ୍ପତ୍ତି ନେଇଥିଲେ। 

ଡିଏସପି ରାଜେଶ ଧାକା ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସୋମବାର ସକାଳୁ ମୃତ ଦୀପକଙ୍କ ବାପା ତାଙ୍କ ଘର କବାଟ ବାଡେଇତିଲେ। ହେଲେ ଭିତରୁ କୈଣସି ପ୍ରତିକ୍ରିୟା ମିଳି ନଥିଲା। ଅନେକ ସମୟ ପର୍ଯ୍ୟନ୍ତ ଭିତରୁ କୈଣସି ପ୍ରତିକ୍ରିୟା ନମିଳିବା ପରେ ବାଧ୍ୟ ହୋଇ ତାଙ୍କ ବାପା ପଡୋଶୀଙ୍କ ସହାୟତାରେ ଘରର କବାଟ ଭାଙ୍ଗିଥିଲେ। ତେବେ ସେତେବେଳକୁ ଉଭୟ ଆତ୍ମହତ୍ୟା କରିସାରିଥିଲେ। ଖବର ପାଇ ପୋଲିସ ଘଟମାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ସେମାନଙ୍କ ଘରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳିନଥିଲା। 

ଦୀପକଙ୍କ ପରିବାର ଲୋକ ପୋଲିସକୁ ସୂଚନା ଦେଇ କହିଛନ୍ତି ନିକଟରେ ଦୀପକ ଅନଲାଇନ ଜୁଆରେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ। ଏନେଇ ସେ କିଛିଦିନ ହେବ ମାନସିକ ଅବସାଦରେ ମଧ୍ୟ ରହୁଥିଲେ। ଗତ କିଛିଦିନ ପୂର୍ବରୁ ସେ ନିଜ ପତ୍ନୀଙ୍କ ଭଉଣୀ(ଶାଳୀ)ଙ୍କୁ ମଧ୍ୟ ମାନସିକ ଅବସାଦରେ ଥିବା ଓ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିବା କଥା ଜଣେଇଥିଲେ। ତେବେ ତାଙ୍କ ଶାଳୀ ତାଙ୍କୁ ଏପରି ନକରିବାକୁ ନିବେଦନ କରିବା ସହ ଆର୍ଥିକ ସହାୟତା କରିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। 

ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା। ପୋଷ୍ଟ ମର୍ଟମ ସରିବା ପରେ ପୋଲିସ ସେମାନଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦେଇଛି। ତେବେ ବର୍ତ୍ତମାନ ସମଗ୍ର ଭାରତରେ ରାତାରାତି ଧନୀ ହେବା ଚକ୍କରରେ ଯୁବକମାନେ ଅନଲାଇନରେ ଜୁଆ ଖେଳିବା ଆରମ୍ଭ କରିଦେଇଛିନ୍ତି। ପ୍ରତିଦିନ ଭାରତର କୋଣଅନୁକୋଣରୁ ଏହିଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି। ଓଡିଶାରେ ମଧ୍ୟ ଏହିପରି ଅନେକ ଘଟଣା ଲୋକସମ୍ମୁଖକୁ ଆସୁଛି। ତେବେ ଏତିପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି।