ନୂଆଦିଲ୍ଲୀ,୧୧।୫: ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଈଶ୍ୱର ଏବଂ ଧର୍ମଗୁରୁଙ୍କ ଆଡ଼କୁ ଏବେ ମୁହାଁଇଛି। ପ୍ରମୁଖ ଏଆଇ କମ୍ପାନୀଗୁଡ଼ିକର ସାମ୍ନାରେ ଏବେ ଗୋଟିଏ ଚ୍ୟାଲେଞ୍ଜ। ତାହା ହେଲା ସେମାନଙ୍କର ଏଆଇ ନୈତିକ ଭାବରେ ଠିକ୍ ରହୁ। ଏଆଇ ଯେତିକି ମାନବ ଜୀବନର ଏକ ଅଂଶ ହେବାରେ ଲାଗିଛି, କମ୍ପାନୀଗୁଡ଼ିକ ମଧ୍ୟ ଚାହାଁନ୍ତି ଯେ ଏଆଇ ଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ। ଏଥିପାଇଁ ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ଧର୍ମଗୁରୁଙ୍କ ଶରଣ ନେଇଛନ୍ତି।

ଆଜିର ଡିଜିଟାଲ ଯୁଗରେ ଗୋଟିଏ ଚୁଟକିରେ ଆପଣଙ୍କ ସମସ୍ୟାର ସମାଧାନ କରୁଛି ଏଆଇ। ମଣିଷ ତୁଳନାରେ ଖୁବ୍ କମ୍ ସମୟରେ ଅଧିକ କାମ କରିପାରେଏଆଇ। ଏହା ଜଟିଳ ଗଣନା ଏବଂ ତଥ୍ୟ ବିଶ୍ଳେଷଣ ଅତି ଦ୍ରୁତ ଗତିରେ କରିଥାଏ। ସ୍ବାସ୍ଥ୍ୟସେବାରେ ସହାୟତାଠାରୁ ନେଇ ଦୈନନ୍ଦିନ ଜୀବନରେ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛି ଏଆଇ। ସଂକ୍ଷେପରେ କହିବାକୁ ଗଲେ, AI ମଣିଷର କ୍ଷମତାକୁ ବୃଦ୍ଧି କରିବା ସହ ଜୀବନଧାରଣକୁ ସହଜ ଏବଂ ସୁବିଧାଜନକ କରିଥାଏ। ଆମେ ଏପରି ଏକ ଯୁଗ ଆଡ଼କୁ ଅଗ୍ରସର ହେଉଛୁ ଯେଉଁଠି ଏଆଇ ମଣିଷ ପରି ଚିନ୍ତା କରିପାରିବ। କିନ୍ତୁ ଏଥିପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି ଏଆଇର ନୈତିକତା। ଏହାକୁ ନେଇ ବହୁ ଟେକ୍ କମ୍ପାନୀର ଚିନ୍ତାରେ ପଡିଛନ୍ତି।

ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ, ଓପନ ଏଆଇ ଏବଂ ଆନ୍ଥ୍ରୋପିକ୍ ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଧାର୍ମିକ ସଂଗଠନ, ବିଶେଷକରି ହିନ୍ଦୁ ଏବଂ ଶିଖ ଧର୍ମଗୁରୁଙ୍କ ସହିତ ଯୋଗାଯୋଗ କରୁଛନ୍ତି। ଏହି କମ୍ପାନୀଗୁଡ଼ିକୁ ଧର୍ମଗୁରୁଙ୍କଠାରୁ ମାନବିକ ମୂଲ୍ୟବୋଧ ଓ ସଂସ୍କାର ଦରକାର ରହିଛି।

ନିକଟରେ ନ୍ୟୁୟର୍କରେ ଫେଥ୍ ଏଆଇ କ୍ୟାବିନେଟ୍ ରାଉଣ୍ଟଟେବଲର ଆୟୋଜନ ହୋଇଥିଲା। ଏଥିରେ ହିନ୍ଦୁ ଟେମ୍ପଲ ସୋସାଇଟି ଅଫ୍ ନର୍ଥ ଆମେରିକା,ଦ ସିଖ୍ କୋଏଲିସନ୍ ଓ ବୌଦ୍ଧ ଧର୍ମ ଭଳି ବିଭିନ୍ନ ସଂଗଠନର ଧର୍ମଗୁରୁ ସାମିଲ ହୋଇଛନ୍ତି। ଜେନେଭାସ୍ଥିତ ଇଣ୍ଟରଫେଥ୍ ଆଲାଏନ୍ସ ଦ୍ୱାରା ଆୟୋଜିତ ଏହି ବୈଠକର ଲକ୍ଷ୍ୟ ଥିଲା ଧର୍ମଗୁରୁମାନେ କିପରି ଏଆଇର ଭବିଷ୍ୟତ ଗଠନରେ ସାହାଯ୍ୟ କରିପାରିବେ। ସିଲିକନ୍ ଭ୍ୟାଲି କମ୍ପାନୀଗୁଡ଼ିକ ସାଧାରଣତଃ ଧର୍ମଠାରୁ ନିଜକୁ ଦୂରେଇ ରଖନ୍ତି, କିନ୍ତୁ ସେମାନେ ଏଆଇ ନୈତିକ ଶିକ୍ଷା ଦେବା ପାଇଁ ଧାର୍ମିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଅଧିକରୁ ଅଧିକ ଆବଶ୍ୟକ ମନେ କରୁଛନ୍ତି।

ଏଆଇ କମ୍ପାନୀଗୁଡ଼ିକ ଅନୁଭବ କରୁଛନ୍ତି ଯେ ଏଆଇ କେବଳ ସରକାରୀ ନିୟମ ଉପରେ ନିର୍ଭର କରିପାରିବ ନାହିଁ। ଏଆଇ ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ହେବା ସହିତ, ଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଆନ୍ଥ୍ରୋପିକ୍ ଭଳି AI କମ୍ପାନୀ ଦାର୍ଶନକି ଓ ଧାର୍ମିକ ଗୁରୁଙ୍କ ସାହାଯ୍ୟରେ କ୍ଳାଉଡ୍ କନଷ୍ଟିଚ୍ୟୁସନ୍ ପର୍ଯ୍ୟନ୍ତ ପ୍ରସ୍ତୁତି କରିଛି। ଏଆଇ କମ୍ପାନୀ ଚାହୁଁଛି ଯେ, ଏହାର ଏଆଇ ଠିକ୍ ସେଭଳି ବ୍ୟବହାର କରିବ ଯେପରି କୌଣସି ନୈତିକ ବ୍ୟକ୍ତି କରନ୍ତି। ବିଶେଷଜ୍ଞଙ୍କ ମତରେ ଧର୍ମଗୁଡିକର ବର୍ଷ ବର୍ଷର ଅଭିଜ୍ଞତା ରହିଛି। ରିପୋର୍ଟ ଅନୁସାରେ, କମ୍ପାନୀ ଗୁହିକ ଆଗରେ ଏହା ଚ୍ୟାଲେଞ୍ଜ ରହିଛି ଯେ, ଅଲଗା ଅଲଗା ଧର୍ମର ମୂଲ୍ୟ ଭିନ୍ନ ହୋଇପାରେ, ଏଭଳି ସ୍ଥିତିରେ ଏଆଇ ପାଇଁ ଏକ ସମାନ ନିୟମ ତିଆରି କରିବା କଷ୍ଟକର କାମ ହେବ।

ଧାର୍ମିକ ସଂଗଠନ ଏଆଇକୁ ନେଇ ନିଜର ଗାଇଡଲାଇନ୍ ମଧ୍ୟ ଜାରି କରିଛି। ସେମାନେ ମାନନ୍ତି ଯେ, ଏଆଇ ଭଗବାନଙ୍କଠାରୁ ମିଳୁଥିବା ଶିକ୍ଷା କିମ୍ବା ଦୂରଦର୍ଶିତାର ସମାନତା କରିପାରିବନି, କିନ୍ତୁ ଏହା ଶିଖିବା ଓ ସିଖାଇବାର ଏକ ଭଲ ଅସ୍ତ୍ର ହୋଇପାରେ। ନ୍ୟୁୟର୍କ ପରେ ଏବେ ବେଜିଂ, ନାଇରୋବି ଓ ଅବୁଧାବୀରେ ମଧ୍ୟ ଏଭଳି ଚର୍ଚ୍ଚା କରିବାର ଯୋଜନା ରହିଛି, ଯାହାଫଳରେ ଏଆଇ ଟେକ୍ନୋଲୋଜି ମାନବଜାତି ପାଇଁ ସୁରକ୍ଷିତ ଓ କଲ୍ୟାଣକାରୀ ପାଲଟିଛି।

ଆହୁରି ପଢନ୍ତୁ : ଗଲୱାନ ସଂଘର୍ଷରେ ନିହତ ଚୀନ୍ ସୈନିକଙ୍କ ମା’ମାନେ ପୁଅର ପ୍ରତିମୂର୍ତ୍ତିକୁ ଆଲିଙ୍ଗନ କରି କାନ୍ଦିଲେ, ମାତୃ ଦିବସରେ ଭିଡିଓ ଖୋଲିଲା ରହସ୍ୟ