ମାଲକାନଗିରି,୨୧/୦୭: ‘ଅପରେସନ କଗାର’ପରେ ମାଓବାଦୀ  ଛାନିଆ । ମାଲକାନଗିରି ପରେ ପଡ଼ୋଶୀ ଛତିଶଗଡ଼, ତେଲଙ୍ଗନା, ଆନ୍ଧ୍ରପ୍ରଦେଶରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ଼ । ବର୍ଷକ ମଧ୍ୟରେ  ସୁରକ୍ଷାକର୍ମୀଙ୍କ ଗୁଳିରେ ୩୫୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏସବୁ କାରଣକୁ ନେଇ ଆସନ୍ତା ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ହେବାକୁ  ଥିବା ସହିଦ ସପ୍ତାହ ପାଳନ ଫିକା ପଡ଼ିବ ବୋଲି ଆକଳନ କରାଯାଉଛି ।  

ସୀମାରେ ଭୁଶୁଡ଼ି ଗଲାଣି ମାଓଗଡ଼ । ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ମାଓବାଦୀଙ୍କ କେନ୍ଦ୍ରୀୟ କମିଟି । ମାଓ ଦମନ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଅପରେସନ କଗାର ସେମାନଙ୍କ ମଧ୍ୟରେ ଭୟ  ସୃଷ୍ଟି କରିଛି । ମାଓ ଶିବିରରେ ଛନ୍‌କା ପଶିଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ୨୦୨୬  ମାର୍ଚ୍ଚ ଶେଷ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କ ମୂଳପୋଛ ହେବେ । ଏଥିପାଇଁ  ମାଓ ପ୍ରଭାବିତ ରାଜ୍ୟଗୁଡ଼ିକରେ ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ  ମିଳିତ ଭାବେ ଅପରେସନ ସହିତ ଦମନ କାର୍ଯ୍ୟକୁ ତରାନ୍ୱିତ କରୁଛନ୍ତି । ମୃତ  ୩୫୭ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ମୋଷ୍ଟ୍‌ ୱାଣ୍ଟେଡ୍‌ ମାଓନେତା ବାସବ ରାଜୁଙ୍କ  ସମେତ ଅନ୍ୟ ୩ କେନ୍ଦ୍ରୀୟ କମିଟି ସଭ୍ୟ ଓ ୧୫ ରାଜ୍ୟ କମିଟି ସଦସ୍ୟ । ଏହା  ମାଓ ସଂଗଠନର ବଡ଼ କ୍ଷତି ବୋଲି ଖୋଦ୍‌ ସଂଗଠନ ମାନିଛି । ଏତେ ସଂଖ୍ୟକ  ମାଓବାଦୀଙ୍କ ମୃତ୍ୟୁ ପରେ ଏବେ ମାଓଗଡ଼ରେ ସହିଦ ସପ୍ତାହ ପୂର୍ବପରି ପାଳନ  ହେବ ନା ନାହିଁ ଦ୍ୱନ୍ଦ୍ୱ ରହିଛି । ଗୋଟିଏପଟେ ଅପରେସନ କଗାର ଭୟ ଅନ୍ୟପଟେ  ସରକାରଙ୍କ ନୂଆ ଆତ୍ମସମର୍ପଣ ନୀତି । ଏହାକୁ ଆଖିରେ ରଖି ଶତାଧିକ ମାଓବାଦୀ  ହିଂସା ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ସମାଜର  ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେମାନେ ଆଗେଇ ଆସୁଥିବା ଦେଖିବାକୁ ମିଳିଛି ।