ନୂଆଦିଲ୍ଲୀ,୦୮/୦୫: ସଂସଦ ଭବନରେ ଆଜି ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ବସିଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏଥିରେ ସବୁ ରାଜନୈତିକ ଦଳ ଯୋଗ ଦେଇଥିଲେ । 'ଅପରେସନ ସିନ୍ଦୂର' ସରିନାହିଁ । ଏଥିରେ ୧୦୦ ଆତଙ୍କବାଦୀ ନିପାତ ହୋଇଥିବା ରାଜନୈତିକ ଦଳକୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକା ଯାଇଥିବା ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ 'ଅପରେସନ୍ ସିନ୍ଦୂର' ଜାରି ରହିଛି । ଏହି ଅପରେସନରେ ୧୦୦ ଆତଙ୍କୀ ନିପାତ ହୋଇଛନ୍ତି । ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ଠିକଣାରେ ହମଲା ହୋଇଥିଲା । ଅତିକମ୍‌ରେ ଆହୁରି ୧୨ ଆତଙ୍କୀ ଆଡ୍ଡା ରହିଛି ।

ଅଧିକ ପଢନ୍ତୁ...Operation Sindoor: ଅଚାନକ ପିଏମ୍‌ଙ୍କୁ କାହିଁକି ଭେଟିଲେ NSA ଅଜିତ୍, ୫୦ ମିନିଟ୍ କ'ଣ ହେଲା ଆଲୋଚନା ?

'ଆମେ ଏକାଠୀ'- ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଲୋକତନ୍ତ୍ରରେ ସବୁ ରାଜନୈତିକ ଦଳକୁ କିପରି ଏକାଠୀ ହୋଇ କାମ କରିବା କଥା ବିଶେଷ କରି ସଂସଦୀୟ ପରମ୍ପରାରେ ରାଜନୈତିକ ଦଳ ଓ ସାଂସଦମାନେ ଲୋକଙ୍କ ସ୍ୱର ହୋଇଥାନ୍ତି । ଏମିତି ସମୟରେ ସଂସଦଙ୍କ ସ୍ୱର ଏକାଠୀ ଉଠିଲେ ତାହା ଭାରତର ସଫଳତା ହେବ । ଅପରେସନ ସିନ୍ଦୂୀର ସରିନାହିଁ ପିଲ୍ମ ଏବେ ବାକି ଅଛି  । ସମସ୍ତ ରାଜନୈତିକ ଦଳକୁ ଧନ୍ୟବାଦ ।''

କିରନ ରିଜିଜୁ ଆହୁରି କହିଛନ୍ତି, ''ଏମିତି ସମୟରେ କିଛି ମିଥ୍ୟା ଖବର ପ୍ରସାରିତ କରନ୍ତୁ ନାହିଁ । ଦେଶରେ ହେଉ କିମ୍ବା ବାହାରେ ପ୍ରସାରିତ ହେଉଥିଛି । ଦେଶର ଏକତାକୁ ଭାଙ୍ଗିବାକୁ ମିଥ୍ୟା ଖବର ପ୍ରଚାର ହେଉଛି । ତାହା ଉପରେ ବିଶ୍ୱାସ କରନ୍ତୁ ନାହିଁ ।''

କ'ଣ କହିଲା କଂଗ୍ରେସ ? ସର୍ବଦଳୀୟ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, '' ସୀମାରେ ଆମ ଲୋକଙ୍କ ସୁରକ୍ଷା ମୁଦ୍ଦା ଉଠାଇଥିଲୁ । ଏହା ସହିତ ପୁଞ୍ଚରେ ଯେଉଁ ଲୋକଙ୍କର ମୃତ୍ୟୁ ହୋଇଛି ସେ ଦିଗରେ କିଛି ପଦକ୍ଷେପ ନେବା ଦରକାର । ସରକାର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ସଙ୍କଟ ଘଡିରେ କିଛି କହିବା ଠିକ୍ ହେବ ନାହିଁ ତେଣୁ ଆମେ ସରକାରଙ୍କୁ ସମର୍ଥନ କରିଛୁ । ସମସ୍ତେ ସମସ୍ତଙ୍କ ମତ ରଖିଥିଲେ ।''