ଆଠଗଡ଼/ନରସିଂହପୁର,୨୧/୦୨: ନିକଟରେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଅଫିମ ଚାଷ ଧରାପଡ଼ିଥିଲା । ସୀମାବର୍ତ୍ତୀ ନରସିଂହପୁର ବ୍ଲକରେ ଅଫିମ ଚାଷ ଧରିଛି ଅବକାରୀ ବିଭାଗ । ବ୍ଲକର ଦେବଭୂଇଁ ପଞ୍ଚାୟତ ଜୟ ଦାମୋଦରପୁର ଗ୍ରାମ ମୁଣ୍ଡା ସାହିରେ ପ୍ରାୟ ୧ ଏକର ଜମିରେ ଚାଷ ହୋଇଥିବା ୪୩ ହଜାର ୭୫୦ଟି ଅଫିମ ଗଛ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ । ଏହି ଘଟଣାରେ ୩ ମହିଳାଙ୍କ ସମେତ ୬ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନଷ୍ଟ ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ୨୧ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ନରସିଂହପୁର ବ୍ଲକ ଦେବଭୂମି ପଞ୍ଚାୟତ ଜୟ ଦାମୋଦପୁର ମୁଣ୍ଡାସାହିରେ ବେଆଇନ ଭାବେ ଅଫିମ ଚାଷ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକ କରୁଣାକର ତିୱାରୀଙ୍କ ତତ୍ତ୍ୱାବଧାନରେ ଆଠଗଡ଼ ଅବକାରୀ ବିଭାଗ ଏବଂ ନରସିଂହପୁର ତହସିଲଦାର ଅମ୍ରିତା ସାହୁ, ଅଲରା ଆର୍ଆଇ ପ୍ରସନ୍ନଜିତ ମହାନ୍ତି, ଆଠଗଡ଼ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ, କମଳ ଲୋଚନ ପାଇକରାୟ, ଭକ୍ତ ବତ୍ସଳ ବର୍ମା, ଉପନିରୀକ୍ଷକ ତରୁଣ କୁମାର ପାତ୍ର, ଅକ୍ଷୟ କୁମାର ଜେନା, ଅବକାରୀ ସହ ଉପନିରୀକ୍ଷକ ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁ ପ୍ରସାଦ ମାଝୀ, ସରୋଜ କୁମାର ସାହୁ, ରାଜେନ୍ଦ୍ର ଖେସ୍, କନଷ୍ଟେବଳ ଗଜାନନ ବେହେରା, ବିଶ୍ୱନାଥ ସୋରେନ, ଶାଶ୍ୱତୀ ମହାନ୍ତି, କୁଳମଣି ନାଏକ ଓ ନରସିଂହପୁର ଅବକାରୀ ଏସଆଇ ସୌମ୍ୟ ରଞ୍ଜନ ବେହେରାଙ୍କ ସମେତ ୪୦ଜଣିଆ ଟିମ୍ ଉକ୍ତ ଗାଁରେ ଚଢ଼ଉ କରିଥିଲେ । ପ୍ରାୟ ୩ ମାସ ତଳେ ଏଠି ଅଫିମ ଚାଷ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ୩ଟି ମାମଲା ରୁଜୁ କରାଯାଇ ୩ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟ ଦାମୋଦରପୁର ଗ୍ରାମର ରାମ ପୂର୍ତ୍ତି (୪୮), ସଗି ପୂର୍ତ୍ତି(୪୭), କାଜୁରୀ ତୁଟି (୫୮), ଲୋଚନ ସାଲେମାନ(୩୨), ସୁନୀତା ହାଁସଦା (୩୫) ଓ ଚୁବା ଆଲତା (୬୯) ।