ଭୁବନେଶ୍ବର, ୦୪/୧୨: ବିଧାନସଭାରେ କ୍ଷମା ମାଗିବେ ନୀଳଗିରି ବିଧାୟକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିଶ୍ରୁତି ପରେ ଗୃହ କାର୍ଯ୍ୟକୁ ଫେରିଲେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ । ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ବିଧାୟକଙ୍କୁ ଆସି ବୁଝାସୁଝା କରିଥିଲେ । ସେ କହିଥିଲେ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେବା ଅଶୋଭନୀୟ । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ସେ ବିରୋଧୀ ସଦସ୍ୟଙ୍କୁ ବୁଝାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ସୂଚନା ମୁତାବକ, ବିଧାନସଭା ଶୀତ ଅଧିବେଶନର ଅଷ୍ଟମ ଦିନରେ ବେସରକାରୀ କାର୍ଯ୍ୟ ଦିବସ ପ୍ରସଂଗରେ ଆଲୋଚନା ପାଇଁ ସୁଯୋଗ ନ ଦିଆଯିବାରୁ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ ତଳେ ସମସ୍ତେ ଏକାଠି ହୋଇ ନାରାବାଜି କରିଥିଲେ । ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ । ଏହି ସମୟରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ସନ୍ତୋଷ ଖଟୁଆଙ୍କୁ କ୍ଷମା ପ୍ରାର୍ଥନା ପାଇଁ ଅଡ଼ି ବସିଥିଲେ । ଏହାସହିତ ବିଧାନସଭା ପରିସରଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ମୌନ ପ୍ରତିବାଦ କରିଥିଲେ । ବିଜେଡି ଓ କଂଗ୍ରେସର ସମସ୍ତ ବିଧାୟକ ଧାରଣାରେ ବସିଥିଲେ । ବିଧାୟକ ସନ୍ତୋଷ ଖଟୁଆ କ୍ଷମା ପ୍ରାର୍ଥନା ନମାଗିବା ଯାଏ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ । ତେବେ ବାଚସ୍ପତି ସୁରମା ପାଢୀଙ୍କ ନିର୍ଦ୍ଦେଶ କ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାରଣା ସ୍ଥଳକୁ ଆସି ବିରୋଧୀଙ୍କୁ ବୁଝାସୁଝା କରିଥିଲେ । ବିଧାୟକ ସନ୍ତୋଷ ଖଟୁଆ ଗାନ୍ଧିଙ୍କୁ ନେଇ ଦେଇଥିବା ବୟାନ ଭୁଲ ବୋଲି କହିଥିଲେ । ଏହାସହିତ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପ୍ରତିଶ୍ରୁତି ମିଳିବା ପରେ ଗୃହ କାର୍ଯ୍ୟକୁ ଫେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ।