ନୂଆଦିଲ୍ଲୀ, ୨୬/୦୭: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଇଣ୍ଡିଆ ବ୍ଲକ୍‌ ବିଦାୟକାଳୀନ ରାତ୍ରିଭୋଜନ ଲାଗି ନିମନ୍ତ୍ରଣ କରିଛି । ତେବେ ଧନଖଡ଼ ବିରୋଧୀଙ୍କ ନିମନ୍ତ୍ରଣ ରଖିବା ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି । 

ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୨୧ ତାରିଖ ରାତିରେ ଅଚାନକ ଇସ୍ତଫା ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଥିଲା । ତେବେ କେନ୍ଦ୍ର ସରକାର ଧନଖଡ଼ଙ୍କୁ  ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସଂସଦରେ ତାଙ୍କ ପାଇଁ କୌଣସି ବିଦାୟକାଳୀନ ସମାରୋହ ଆୟୋଜିତ ହୋଇ ନ ଥିଲା । ସେ  ବିଦାୟକାଳୀନ ଭାଷଣ ମଧ୍ୟ ଦେଇନାହାନ୍ତି । ଜୁଲାଇ ୨୪ରେ କଂଗ୍ରେସ ଧନଖଡ଼ଙ୍କୁ  ବିଦାୟ ସମ୍ବର୍ଦ୍ଧନା ଦେବାକୁ ଦାବି କରିଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା  ଉପରେ କୌଣସି ଜବାବ ଦିଆଯାଇନାହିଁ । ଗୁରୁବାର ରାଜ୍ୟସଭାର ୬ ଅନ୍ୟ ସଦସ୍ୟଙ୍କୁ  ବିଦାୟ ଦିଆଯାଇଥିଲା । କିନ୍ତୁ ଧନଖଡ଼ ସେଠାରେ ଉପସ୍ଥିତ ନ ଥିଲେ ।