ଖୋର୍ଦ୍ଧା, ୮/୬ : ସେବାର ସତଭାବନା ଓ ଭାଇଚାରାର ମଧୁର ବାର୍ତ୍ତା ସହ ବଳୀଦାନର ପର୍ବ ବକ୍ରି ଇଦକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବାଜପୁରର ମୁସଲମାନ ଭାଇମାନେ । ଏହି ପର୍ବ ଅବସରରେ ଅଜମତ ମୁସତଫା କ୍ଲବ (ବାଜପୁର ମୁସଲମାନ ସାହି)ର ସଭ୍ୟମାନଙ୍କ ଦ୍ୱାରା ଗତ ଶନିବାର ୭ତାରିଖ ମୁସଲମାନ ସାହିରେ ଏକ ମୁକ୍ତ ଦେୟ ସ୍ୱାସ୍ଥ୍ୟ ଶିବିର କେନ୍ଦ୍ରର ଆୟୋଜନ କରାଯାଇଥିଲା।
ଏହି ଶିବିରରେ ଘରୋଇ ହସ୍ପିଟାଲରୁ ଆସିଥିବା ଅଭିଜ୍ଞ, ଡାକ୍ତର, ନର୍ସମାନଙ୍କ ଦ୍ୱାରା ଗ୍ରାମବାସୀର ମୁକ୍ତରେ ରକ୍ତ ଚାପ, ମଧୁମୟ ରୋଗ, ECG, ଚକ୍ଷୁ, ରକ୍ତ ସମ୍ପର୍କିତ ପରୀକ୍ଷା ଆଦି ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ଚିକିତ୍ସା କରାଯାଇଥିଲା ଓ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା। ଏହି ଶିବିରରେ ଗ୍ରାମର ମୁରବୀ ସଇଦୁ ମହମ୍ମଦ, ସେକ୍ ହେଦାତୁଲା, ସେକ୍ କେଫାତୁଲା, ସୟଦ ଲିଆକତ୍ ଅଲ୍ଲୀ, ରହିମୁ ମହମ୍ମଦ, ଅଇବୁ ମହମ୍ମଦ, ସୟଦ ହେଦାତୁଲା, ୟୁସୁଫ ମୋହମ୍ମଦ, ନେସାର ଅଲ୍ଲୀ, କୁଦୁସ୍ ମୋହମ୍ମଦ, ସେକ୍ ଅଜୀମୁଲା, ଆଲମ୍ ଖାଁ ଆଦି ଦ୍ୱାରା ଡ଼ାକ୍ଟରମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।
ଏହି ଶିବିରରେ କେଦାରଶ୍ୱର ପୁଷ୍ଟି, ଅମ୍ବୁଜ ବଲ୍ଲ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ସୁଶାନ୍ତ ସାହୁ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଶିବିରର ମହତ ଉଦ୍ଦେଶ୍ୟକୁ ସାର୍ଥକ ଓ ସୁଦୃଢ଼ କରିଥିଲେ ଓ ସଭିଏ ଅଜମତ ମୁସତଫା କ୍ଲବର ସଦସ୍ୟମାନଙ୍କର ମାଗଣା ଜଳ ସେବା, ଜନ ସେବା ଓ ଭାଇଚାରାର ମଧୁର ବାର୍ତ୍ତାକୁ ଭୁରି ଭୁରି ପ୍ରଶଂସା କରିବା ସହ ଯୁବକମାନଙ୍କୁ ଏହି ପରି ସାମାଜିକ ମଙ୍ଗଳମୟ କାର୍ଯ୍ୟ ପାଇଁ ପ୍ରୋତ୍ସାହନ କରିଥିଲେ।