କଟକ,୧୨/୦୫: ଅଭିଯୁକ୍ତଙ୍କୁ ଗିରଫ କରାଯିବାର ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସାମ୍ବିଧାନିକ ତଥା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରୁ ଗିରଫ ହୋଇଥିଲେ ମଧ୍ୟ ପୁଲିସ ଏହି ପ୍ରକ୍ରିୟାକୁ ଏଡ଼ାଇପାରିବ ନାହିଁ । ଏକ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ଏଭଳି ମତବ୍ୟକ୍ତ କରିହା ସହ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି । ପୁଲିସ ଗିରଫଦାରୀ ନିୟମ ଉଲ୍ଲଂଘନ କରୁଥିବାରୁ ହାଇକୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ ଏପରି ଘଟଣା ଏଡ଼ାଇବାକୁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି ।

ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଗିରଫ ପରେ ନିକଟତମ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କୁ ହାଜର କରିବା କେବଳ ଔପଚାରିକତା ନୁହେଁ, ଏହା ସଂପୃକ୍ତ ବ୍ୟକ୍ତିଙ୍କ ମୌଳିକ ଅଧିକାରର ସୁରକ୍ଷା ସହ ଜଡିତ । ମୌଳିକ ଅଧିକାର ଉଲ୍ଲଂଘନ କରି ହୋଇଥିବା ଗିରଫଦାରୀ ଅବୈଧ ଓ ସେପରି ପରିସ୍ଥିତିରେ ଜାମିନ ଦେବା ଅଦାଲତଙ୍କ କର୍ତ୍ତବ୍ୟ । ଏହି ଆଧାରରେ ଅଦାଲତ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାର ରାଇଘର ଥାନାରେ ଅଭିଯୁକ୍ତ ଭି. ଦିଲ୍ଳୀପ କୁମାର ବିରୋଧରେ ମାନବ ଚାଲାଣ ଓ ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଶ୍ରମିକଙ୍କୁ କାମର ପ୍ରଲୋଭନ ଦେଇ ଆନ୍ଧ୍ରପ୍ରଦେଶର ଇଟାଭାଟିକୁ ନେଇ ସେଠାରେ ଅଭିଯୁକ୍ତ ନିର୍ଯାତନା ଦେଉଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିଲା । ତେବେ ଗିରଫଦାରୀ ସମୟରେ ପୁଲିସ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରି ନ ଥିବା ହାଇକୋର୍ଟ ଜାଣିବାକୁ ପାଇଥିଲେ । ତେଣୁ ଅଭିଯୁକ୍ତକୁ ରାଜ୍ୟ ବାହାରୁ ବା ଗିରଫ କଲାବେଳେ କେଉଁସବୁ ନିୟମକୁ ଅନୁସରଣ କରିବାକୁ ପଡ଼ିବ ସେ ସଂକ୍ରାନ୍ତରେ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ, ଗିରଫର ୨୪ ଘଣ୍ଟା ଭିତରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ସହ ତାଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ । ଯଦି ଏଥିରେ ଅଦାଲତ ସନ୍ତୋଷ ବ୍ୟକ୍ତ କରନ୍ତି ସେହି ଆଧାରରେ ଅଭିଯୁକ୍ତକୁ ଟ୍ରାନ୍ଜିଟ୍ ରିମାଣ୍ଡ ପ୍ରଦାନ କରିବେ । ଗିରଫ ବେଳେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ସଂକ୍ରାନ୍ତରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସ୍ ଷ୍ଟେସନ୍କୁ ପ୍ରଦାନ କରିବେ । ବାହାର ରାଜ୍ୟରୁ କାହାକୁ ୱରେଣ୍ଟ ବିନା ଗିରଫ କରାଯାଉଥିଲାବେଳେ ତୁରନ୍ତ ସ୍ଥାନୀୟ ଅଦାଲତକୁ ଓ ଥାନାକୁ ଇ-ମେଲ୍ ଜରିଆରେ ଗିରଫଦାରୀ ସଂକ୍ରାନ୍ତରେ ଅବଗତ କରାଯିବ । ଆହୁରି ମଧ୍ୟ ଅଭିଯୁକ୍ତ ଯେଉଁ ଅଞ୍ଚଳର ସେହି ଅଞ୍ଚଳର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ମଧ୍ୟ ଜଣାଇବାକୁ ପଡ଼ିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତ । ଏଥିସହ ଅନ୍ୟାନ୍ୟ ନିର୍ଦ୍ଦେଶ ମଧ୍ୟ ଅଦାଲତ ଦେଇଛନ୍ତି । ଏହି ଆଦେଶର କପି ଗୃହ ବିଭାଗ ସଚିବ, ପୁଲିସ୍ ଡିଜି, ସମସ୍ତ ଫୌଜଦାରୀ ଅଦାଲତ, ଓଡିଶା ଜୁଡିସିଆଲ ଏକାଡେମୀ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।