କଟକ,୨୯/୧୦: ଐତିହାସିକ କଟକ ବାଲିଯାତ୍ରା ପାଇଁ  ଚଳଚଞ୍ଚଳ ହୋଇପଡିଲାଣି ତଳ ପଡିଆ । ଏଥିରେ ଟେଣ୍ଡର୍‌  ପାଇଥିବା ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ସଂସ୍ଥା ଦ୍ୱାରା ଦୁଇଟି ସାଂସ୍କୃତିକ  ମଞ୍ଚ ତିଆରି କାମ ଆରମ୍ଭ ହୋଇସାରିଥିବା ବେଳେ ଓରମାସ୍‌ର ଷ୍ଟଲ୍‌  କାମ ଏଥର ନୂଆ ଢାଞ୍ଚାରେ ହେବ । ଏଥିପାଇଁ ଏକ ସଂସ୍ଥା ଦ୍ୱାରା ଲୁହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏସବୁ ପାଇଁ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ଶିବିର କରି ଏକ ମାସ ପର୍ଯ୍ୟନ୍ତ ଶ୍ରମିକମାନେ ସେଠାରେ ରହିବାକୁ ବ୍ୟବସ୍ଥା କରିଛନ୍ତି । 

ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଐତିହାସିକ କଟକ ବାଲିଯାତ୍ରାକୁ  ଏକ ବଡ ଧରଣର ଆୟୋଜନ କରିବାକୁ ନିଷ୍ପତ୍ତି ରହିଛି । ଆସନ୍ତା  ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ  ଦ୍ୱାରା ବିଭିନ୍ନ କମିଟି ସବୁ କାର୍ଯ୍ୟକୁ ଟେଣ୍ଡର୍‌ ଦ୍ୱାରା କରାଯାଉଛି । ଏସବୁ ମଧ୍ୟରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ୍‌ କାର୍ଯ୍ୟ ବ୍ରହ୍ମପୁରର ଏକ ସଂସ୍ଥାକୁ  ଦିଆଯାଇଛି । ଏହି ସଂସ୍ଥା ଦ୍ୱାରା ଦୁଇ ଦିନ ହେବ ଗଣକବି ବୈଷ୍ଣବ ପାଣି ମଞ୍ଚର କାମ ଆରମ୍ଭ ହୋଇଥିଲାବେଳେ ଅକ୍ଷୟ ମହାନ୍ତି  ମଞ୍ଚ ତିଆରି ହେଉଛି । ତେବେ ଏହାକୁ ଆକର୍ଷଣୀୟ କରିବା ପାଇଁ  ସ୍ୱତନ୍ତ୍ର ମଡେଲ୍‌ରେ ଏହାକୁ ତିଆରି କରାଯାଉଥିବା ଜଣାପଡିଛି । 

ଅନ୍ୟ  ପକ୍ଷରେ ଆଜିଠୁ ଓରମାସ୍‌ ପାଇଁ ଷ୍ଟଲ୍‌ ତିଆରି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।ସାଧାରଣତଃ ବାଉଁଶ ବାନ୍ଧି ଷ୍ଟଲ୍‌ ତିଆରି କରାଯାଇଥାଏ। ଏଥର କିନ୍ତୁ ଢେଙ୍କାନାଳରୁ ପ୍ରାୟ ୫୦ ଜଣ କାରିଗର ଆସି ପଡିଆରେ  ଅସ୍ଥାୟୀ ଶିବିରରେ ରହିଛନ୍ତି । ସେମାନେ ବାଉଁଶ ବଦଳରେ ଲୁହାକୁ ଖଞ୍ଜି ମଜବୁତ୍‌ ଷ୍ଟଲ୍‌ ତିଆରି କରିବାରେ ଲାଗିପଡିଛନ୍ତି । ଏଥର  ଓରମାସ୍‌ରେ ପାଖାପାଖି ୫ଶହ ଷ୍ଟଲ୍‌ ହେବ ବୋଲି ଯୋଜନା ରହିଛି ।