ଭୁବନେଶ୍ୱର,୧୮/୧୦: ଓଡିଶା  ଅଧସ୍ତନ କର୍ମଚାରୀ ଚୟନ ଆୟୋଗ  (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ପ୍ୟୁଟର ଆଧାରିତ  ନିଯୁକ୍ତି ପରୀକ୍ଷାରେ ନାନା ଅନିୟମିତତା  ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ  ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀମାନେ  ଆନ୍ଦୋଳନ କରିବା ପରେ ରାଜ୍ୟ ସରକାର ଏହି  ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।  ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ  ଆରମ୍ଭ କରିଛନ୍ତି ବୋଲି ଗୁରୁବାର ଏକ ପ୍ରେସ  ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ  ପକ୍ଷରୁ କୁହାଯାଇଛି । 

ବିଭାଗ ଆହୁରି କହିଛି,  ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା କମ୍ପ୍ୟୁଟର ଆଧାରିତ  ନିଯୁକ୍ତି ପରୀକ୍ଷା ୨୦୨୪ ଯଥା-ଏଲ୍‌ଆଇ,  ଫରେଷ୍ଟର, ଫରେଷ୍ଟଗାର୍ଡ, ଆର୍‌ଆଇ, ଅମିନ,  ଏଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର  ତଥା ଏସ୍‌ଏଫ୍‌ଏସ୍‌ ଭଳି ପରୀକ୍ଷାର ସ୍ୱଚ୍ଛତା  ସହ ସାଲିସ ହୋଇଥିବା ଅଭିଯୋଗ ହୋଇଛି ।  ତେଣୁ ଏହାର ତଦନ୍ତ ନିହାତି ଆବଶ୍ୟକ ଥିଲା ।  ତଦନ୍ତ ପରେ ଖୁବ ଶୀଘ୍ର ସରକାର ନିଷ୍ପତ୍ତି  ଗ୍ରହଣ କରିବେ । ଅପରପକ୍ଷେ, ଯଦି ଏହି ପରୀକ୍ଷାରେ  ବାସ୍ତବରେ କୌଣସି ଅନିୟମିତତା ରହିଥିବା  ପ୍ରମାଣିତ ହୁଏ ତେବେ ଏହା ବାତିଲ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ  ଆଲୋଚନା ହୋଇଛି ।