କଟକ, ୧୨/୧୧ :ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଡ଼ିଶା ଟିଚର୍ ଇଲିଜିବିଲିଟି ଟେଷ୍ଟ୍(ଓଟିଇଟି)ଆସନ୍ତା ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ବୋର୍ଡ ୱେବସାଇଟ୍ରେ ଆଜିଠାରୁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନର ଶେଷ ଦିନ ନଭେମ୍ବର ୨୫ ତାରିଖ ସମୟ ଧାର୍ଯ୍ୟ ରହିଛି । ଉକ୍ତ ପରୀକ୍ଷା ଲାଗି ସାଧାରଣ ପ୍ରାର୍ଥୀଙ୍କ ସହ ଇନ୍ସର୍ଭିସ୍ ଶିକ୍ଷକମାନେ ମଧ୍ୟ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ଅବଗତ କରାଯାଇଛି । ପେପର-୧ ପରୀକ୍ଷା ସକାଳ ୯ରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀମାନଙ୍କ ଆଡ୍ମିଟ୍ କାର୍ଡ ଡିସେମ୍ବର ୧୦ରୁ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମୋଟ ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ପାସ୍ କରିବାକୁ ହେଲେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୯୦ ନମ୍ବର ରଖିବାକୁ ହେବ । ସେହିପରି ଏସ୍ସି, ଏସ୍ଟି ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାସ୍ ଲାଗି ୭୫ ନମ୍ବର ଧାର୍ଯ୍ୟ ରହିଛି । ସୂଚନାଥାଉକି, ଅନଲାଇନ୍ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କ ଦ୍ୱାରା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି, ବିଷୟ ଇତ୍ୟାଦି ସମ୍ପର୍କିତ ସୂଚନା ପରବର୍ତ୍ତୀ ସମୟରେ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । କେବଳ ଇନ୍ସର୍ଭିସ୍ ଶିକ୍ଷକମାନଙ୍କ ଲାଗି ଆହ୍ୱାନ କରାଯାଇଥିବା ସ୍ପେସାଲ୍ ଓଟିଇଟି-୨୦୨୫ ଗତ ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପରୀକ୍ଷା ଫଳ ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।