କଟକ,୦୫/୦୮: ଓଟିଇଟି ପ୍ରଶ୍ନ ଲିକ୍‌  ଘଟଣାରେ ଗିରଫ ହୋଇଥିବା ଜିତନ ମହାରଣା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଠିକାରେ ଡାଟା ଏଣ୍ଟ୍ରି ଅପରେଟର୍‌ ଭାବେ ନିୟୋଜିତ  ଥିଲା । ଦୈନିକ ମଜୁରି ହିସାବରେ ଜିତନ୍‌ ମାସକୁ  ପ୍ରାୟ ୧୫ ହଜାର ଟଙ୍କା ଦରମା ପାଉଥିଲା । ତେବେ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନ ଚୋରି କରି ବିକି ଧରାପଡ଼ିବା ପରେ ଏବେ ଚର୍ଚ୍ଚାରେ ରହିଛି  ଜିତନ । ଜିତନର ଘର ବାଲେଶ୍ୱର ଅଞ୍ଚଳରେ । ମାତ୍ର ସେ କଟକ ସହରରେ ଦୀର୍ଘ ଦିନ ହେଲା ରହିଆସୁଥିଲା । ସଦର ଥାନା ଗୋପାଳପୁର ଅଞ୍ଚଳରେ ଜାଗା କିଣି ଘର କରି ରହୁଥିବା ଜିତନକୁ ତା ଘରୁ ଗିରଫ କରିବା ସମୟରେ ତା ଘରଦ୍ୱାର, ଆଡାଚୌଡ଼ା ଦେଖି ତଦନ୍ତକାରୀ କ୍ରାଇମବ୍ରାଞ୍ଚ୍‌ ଟିମ୍‌  ଆଶ୍ଚର୍ଯ୍ୟ ହୋଇଯାଇଛି ।  

ଅଭିଯୁକ୍ତର ଘରଦ୍ୱାର ଖାନତଲାସ ସମୟରେ ପ୍ରଚୁର ଧନସମ୍ପତ୍ତିର ସନ୍ଧାନ ବି ମିଳିଛି । ଜଣେ  ଠିକା କର୍ମଚାରୀ ଏତେ ସ୍ପଳ୍ପ ଦରମାରେ କିପରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିପାରିଛି ତାହା ତଦନ୍ତକାରୀ ଅଧିକାରୀ ଦେଖି ତୋବା ହୋଇଯାଇଥିଲେ । ଘର ଓ ଜାଗାବାଡ଼ି, ସୁନାଗହଣା  ଆଦି ପ୍ରଚୁର ସମ୍ପତ୍ତି ସେ ଠୁଳ କରିଥିବା ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି । ଜିତନ୍‌ର ବାପା ବୋର୍ଡ  କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ  ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତେଣୁ ବେତନ ଅନୁସାରେ ଘରବାଡ଼ିର ମୂଲ୍ୟ ଓ ଅନ୍ୟାନ୍ୟ ଆସବାବପତ୍ର, ସୁନାଗହଣା, ବ୍ୟାଙ୍କରେ ଥିବା  ଜମା ରାଶିକୁ ଅନୁଧ୍ୟାନ କଲେ ତାହା ଜିତନର  ରୋଜଗାର ପନ୍ଥା ବାଦ୍‌ ଅନ୍ୟ ଆୟବହିର୍ଭୂତ ବେଆଇନ ସୂତ୍ରରୁ ହୋଇଥିବା ଜଣାପଡ଼ୁଛି ।  

ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ସେ କେବଳ ଜଣେ  ଶିକ୍ଷକଙ୍କୁ ବିକି ତାର ପ୍ରତିବଦଳରେ ପତ୍ନୀଙ୍କ  ଆକାଉଣ୍ଟ୍‌କୁ ଫୋନ୍‌ ମାଧ୍ୟମରେ ଅଢ଼େଇ  ଲକ୍ଷ ଟଙ୍କା ନେଇଥିବା ଧରାପଡ଼ିଛି । ତେବେ ଏ  ଘଟଣାରେ ଆହୁରି ମୋଟା ଅଙ୍କର ଟଙ୍କା ଦେଣନେଣ  ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ଅନୁମାନ କରୁଛି। ମାତ୍ର  ନଗଦ ନେଣଦେଣ କାରବାରର ପ୍ରମାଣକୁ ଖୋଜି  ବାହାର କରିବା ଜଟିଳ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି  ବିନୟତୋଷ ମିଶ୍ର କହିଛନ୍ତି । ପ୍ରଶ୍ନ ବିକ୍ରି କରି  ଜିତନ ଏଥର ଧରାପଡ଼ିଥିଲେ ହେଁ ପ୍ରଶ୍ନ ବିକ୍ରି  କରି କୋଟିପତି ହେବାର ନିଶା ତାକୁ ଘାରିଥିଲା  ଏବଂ ପୂର୍ବ ପରୀକ୍ଷାଗୁଡ଼ିକରେ ସେ ପ୍ରଶ୍ନ ନିୟମିତ  ବିକ୍ରି କରିଆସୁଥିଲା ବୋଲି ତଦନ୍ତ ବେଳେ ସୁରାକ୍‌  ମିଳିଛି । କାରଣ ପୂର୍ବରୁ ବୋର୍ଡ ଦ୍ୱାରା ପରିଚାଳିତ  ଅନେକ ପରୀକ୍ଷାରେ ପ୍ରଶ୍ନ ଭାଇରାଲ୍‌ ହେଉଥିବା  ନେଇ ଅଭିଯୋଗ ରହିଛି ।  

ଅତୀତରେ ବୋର୍ଡ ଏ ଦିଗରେ କଠୋର ପଦକ୍ଷେପ ନେଇନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ସାମ୍ବାଦିକ ସମ୍ମିଳନୀରେ  କହିଥିଲେ । ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାରେ ଜିତନ ସହ ଉପସଭାପତି ନିହାର ମହାନ୍ତିଙ୍କର ଲିଙ୍କ୍‌ ରହିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଖୋଜି ବାହାର କରିଥିବାରୁ ପୂର୍ବ ପ୍ରଶ୍ନ ପ୍ରଘଟ ଘଟଣାରେ ଅଭିଯୁକ୍ତ ଦୁହିଙ୍କ ସଂପୃକ୍ତି ଏଡ଼ାଇ ଦିଆଯାଇନପାରେ ବୋଲି ଜଣେ ଅଧିକାରୀ କହିଛନ୍ତି । ତେଣୁ ବିଭିନ୍ନ  ପରୀକ୍ଷାରେ ଜିତନ୍‌ କୌଶଳରେ ପ୍ରଶ୍ନ ବିକ୍ରି  କରି ମୁନାଫା କମାଇଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ଏନେଇ ଖୋଳତାଡ଼ ବି ଜାରି ରଖିଛି ।