ଭୁବନେଶ୍ୱର, ୦୫/୦୩ : ଓୟୁଏଟି ଛକରେ ନକଲି ଭେଣ୍ଡିଂ ଜୋନ୍। ପ୍ରମେୟରେ ଏନେଇ ଖବର ପ୍ରକାଶ ପରେ ରାତାରାତି ବଦଳିଯାଇଛି ଭେଣ୍ଡିଂ ଜୋନର ରଙ୍ଗ । ଗେରୁଆରୁ ନୀଳ ରଙ୍ଗ ହୋଇଯାଇଛି । ତେବେ ଯାବତୀୟ କାରସାଦି ସତ୍ୱେ ଏହି ବେଆଇନ ଭେଣ୍ଡିଂ ଜୋନକୁ ଉଚ୍ଛେଦ କରାଯିବ ନା ଏଥିରେ ବିଏମସିର ଅଘୋଷିତ ମୋହର ବାଜିବ ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ମଙ୍ଗଳବାର ବିଏମ୍ସି ଦୋକାନ କରିଥିବା ଲୋକଙ୍କୁ ଡାକି କରିଥିବା ଲଘୁ ତାଗିଦରୁ ଏହା ହିଁ ପ୍ରତୀତ ହେଉଛି ।
ଓୟୁଏଟିରୁ ଶିରିପୁର ରାସ୍ତାରେ ଫାଷ୍ଟଫୁଡ୍ ଦୋକାନୀଙ୍କ ପାଇଁ ଭିଡ଼ ଜମୁଥିଲା। ବିଏମ୍ସି ଉଚ୍ଛେଦ କରିଥିଲା। ହେଲେ ଏବେ ଆହୁରି ସାଙ୍ଘାତିକ ଭିଡ଼ ହେବାକୁ ଯାଉଛି । ଏବେ ଗୋଟିଏ ଜାଗାରେ ଏକା ସଙ୍ଗେ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଖୋଲିବାକୁ ଯାଉଛି। ଫଳରେ ରାସ୍ତାରେ ଏବେ ଟ୍ରାଫିକ ସମସ୍ୟା ଉପୁଜିବା ଥୟ। ହେଲେ ବିଏମ୍ସି ସବୁ ଜାଣି ସେଠାରେ ହେଉଥିବା ବେଆଇନ ଭେଣ୍ଡିଂ ଜୋନକୁ ପ୍ରସୟ ଦେଉଛି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ଏହି ରାସ୍ତାରେ ଟ୍ରାଫିକ ଭିଡ଼ରେ ଲୋକେ ଅଣନିଶ୍ୱାସୀ ହୋଇଥିଲେ। ଏପରି କି ଗୋପବନ୍ଧୁ ଛକରୁ ଓୟୁଏଟି ଛକ ପର୍ଯ୍ୟନ୍ତ ଅଣଓସାରିଆ ରାସ୍ତାରେ ଗାଡ଼ି ଲାଇନ୍ ଲାଗୁଥିଲା। ଖାଲି ଏତିକି ନୁହେଁ, ବୋଝ ଉପରେ ନଳିତା ବିଡ଼ା ସଦୃଶ ସେଠାରେ ଥିବା ବେଆଇନ କଲ୍ୟାଣ ମଣ୍ଡପ ଯୋଗୁଁ ଜାମ୍ ଆହୁରି ଅଧିକ ହେଉଥିଲା। ହେଲେ ଉଠା ଦୋକାନୀଙ୍କୁ ହଟାଇବା ପରେ ପରିସ୍ଥିତି ସାମାନ୍ୟ ସୁଧୁରିଥିଲା।
ଏବେ ପୁଣି ଯଦି ବେଆଇନ ଭେଣ୍ଡିଂ ଜୋନ ଖୋଲେ ତେବେ ପୁଣି ସ୍ଥିତି ଅସମ୍ଭାଳ ହେବା ଆଶଙ୍କା ଦେଖାଦେଇଛି । ସହର ମଧ୍ୟରେ ଏପରି କେତେ ଭେଣ୍ଡିଂ ଜୋନ୍ ରହିଛି? ସେଥିରୁ କେତେ ଆଇନଗତ ଆଉ କେତେ ବେଆଇନ? ଏହି ସବୁ ଭେଣ୍ଡିଂ ଜୋନ୍ରୁ ଫି ଆଦାୟ ହେଉଛି ତ? ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି । ବିଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଏବଂ ସାଇନ୍ ଟିମ୍ ରହିଛନ୍ତି । ଏହି ଟିମ୍ ବୁଲି ବେଆଇନ ଦୋକାନ ଉଚ୍ଛେଦ କରିବା କଥା । ହେଲେ ସ୍ଥାୟୀ ନିର୍ମାଣ କଥା ସେମାନେ କିପରି ଜାଣି ପାରୁନାହାନ୍ତି । ତାହା ସମସ୍ତଙ୍କୁ ଚକିତ କରିଛି । ଘଟଣାକୁ ନେଇ ବିଏମ୍ସି ଜୋନାଲ କମିଶନର କହିଛନ୍ତି, ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଅସ୍ଥାୟୀ ଭାବେ ସେଠାରେ ବସିବାକୁ କୁହାଯାଇଥିଲା । ହେଲେ ସେମାନେ ଏବେ ଭେଣ୍ଡିଂଜୋନ୍ ତିଆରି କରୁଛନ୍ତି । ପାର୍କିଂ ସମସ୍ୟା ଯେପରି ନ ହେବ ସେ ନେଇ ସେମାନଙ୍କୁ ତାଗିଦ କରାଯାଇଛି । ଯଦି ପାର୍କିଂ ସମସ୍ୟା ହୁଏ, ତାହେଲେ ଦୋକାନକୁ ଭାଙ୍ଗି ମାଟିରେ ମିଶାଇ ଦେବୁ।
ଏହି ଖବରଟିକୁ ପଢନ୍ତୁ-ମାସ ଶେଷ ସୁଦ୍ଧା ଗ୍ରେଟର ଭୁବନେଶ୍ୱର ନକ୍ସା, ବିଡିଏରେ ଯୋଡ଼ି ହେବ ୩୬୪ ଗାଁ