ଭୁବନେଶ୍ବର, ୧୯।୩ : ବିଗତ ୨୪ ବର୍ଷ ଥିଲା ତଥାକଥିତ ଉତ୍ତମ ଶାସନ । ବିଗତ ସରକାର ସମୟରେ ଚାଷୀ ଆଖିରୁ ଲୁହ ଶୁଖିଗଲା ପଛେ ୧୦୦ ଟଙ୍କା ବୋନସ୍ ଦେଇ ପାରିଲେ ନାହିଁ । ବିଗତ ସରକାରରେ ଅନେକ ଚାଷୀ ଆତ୍ମହତ୍ୟା କରୁଥିଲେ । ବିଧାନସଭାରେ ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ଉପରେ ଗୁରୁବାର ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଗତ ସରକାର ସମୟରେ ଜମିରେ ପାଣି ନ ପହଁଚିବା ଦୁଃଖର ଅନ୍ୟତମ କାରଣ । ରାଜୀବ ଭବନ ଓ ଜଳ ସମ୍ପଦ ବିଭାଗ ଥିଲା ଅଣ ଓଡ଼ିଆ ଠିକାଦାରଙ୍କ ଆଡ଼ାସ୍ଥଳୀ । ଗତ ଦୁଇ ବର୍ଷ ଭିତରେ ଏହାକୁ ଉଚ୍ଛେଦ କରି ସ୍ୱଚ୍ଛ ବ୍ୟବସ୍ଥା ଆଣିଛୁ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୦୬ ରେ ରାଜ୍ୟର ସମସ୍ତ ବ୍ଲକକୁ ଜଳ ସଚେନ କରିବା ପାଇଁ କହିଥିଲେ। ସେହିପରି ୨୦୦୮ ରେ ପ୍ରତି ଗାଁକୁ ଜଳସେଚନ କରାଯିବ ବୋଲି କହିଥିଲେ । କିନ୍ତୁ ଆଜି ବି ରାଜ୍ୟର ୨୫ ଟି ବ୍ଲକକୁ ଜଳସେଚନ ହୋଇ ପାରି ନାହିଁ । କିନ୍ତୁ ଆମ ସରକାର ପ୍ରତି ବ୍ଲକରେ ୫୦ ପ୍ରତିଶତ ଜଳସେଚନକୁ ସୁନିଶ୍ଚିତ କରିବାକୁ ଯାଉଛୁ । ଚଳିତ ମାସ ଶେଷ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୭୦୦୦ ହେକ୍ଟର ଜମିକୁ ଜଳସେଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।