ନୂଆଦିଲ୍ଲୀ,୨୮।୧୨:  ଆମ ଆକାଶଗଙ୍ଗାରେ ଅନେକ ନକ୍ଷତ୍ର ଯୋଡ଼ା ଯୋଡ଼ା ହୋଇ ଅବସ୍ଥାନ କରିଛନ୍ତି । କିନ୍ତୁ ଆମ ସୂର୍ଯ୍ୟ ଏ ମାମଲାରେ ବ୍ୟତିକ୍ରମ । ଏହାର କୌଣସି ସାଥୀ ନାହିଁ । କ’ଣ ଅନ୍ୟ ନକ୍ଷତ୍ରଙ୍କ ଭଳି ଦିନେ ସୂର୍ଯ୍ୟର ବି ସାଥୀ ଥିଲା? ବୈଜ୍ଞାନିକମାନେ ଏବେ ଏହାର ସଙ୍କେତ ଖୋଜୁଛନ୍ତି । ତେବେ ପ୍ରଶ୍ନ ହେଉଛି ଯଦି ସୂର୍ଯ୍ୟର ସାଥୀ ଥିଲା, ତେବେ କୁଆଡ଼େ ଗଲା? ଆମ ସୂର୍ଯ୍ୟ ଜଣେ ନିଃସଙ୍ଗ ପଥିକ ଭଳି । ଆମ ଆକାଶଗଙ୍ଗା ମିଲ୍‌କି ୱେର ଅନ୍ୟତମ ଗୋଲାକାର କ୍ଷେତ୍ରରେ ଏହା ପରିକ୍ରମା କରୁଛି । ଏହା ଆମକୁ ପ୍ରାୟ ପ୍ରତି ୨୩ କୋଟି ବର୍ଷରେ ଥରେ ଏକୁଟିଆ ଆକାଶଗଙ୍ଗା ଚତୁଃପାର୍ଶରେ ଯାତ୍ରା କରାଇଥାଏ । ସୂର୍ଯ୍ୟର ନିକଟତମ ନକ୍ଷତ୍ର ପ୍ରକ୍ସିମା ସେଣ୍ଟରି ୪.୨ ଆଲୋକ ବର୍ଷ ଦୂରରେ ଅଛି । ଏହା ଏତେ ଦୂରରେ ଅଛି ଯେ ଏପର୍ଯ୍ୟନ୍ତର ଦ୍ରୁତତମ ମହାକାଶଯାନକୁ ବି ସେଠାରେ ପହଞ୍ଚିବାରେ ୭ ହଜାର ବର୍ଷରୁ ଅଧିକ ସମୟ ଲାଗିବ । 

ବୈଜ୍ଞାନିକମାନେ ଆମ ଆକାଶଗଙ୍ଗାର ଯେଉଁ ସ୍ଥାନକୁ ଦେଖୁଛନ୍ତି, ଆମ ସୌରମଣ୍ଡଳର କେନ୍ଦ୍ରରେ ଥିବା ଏହି ନକ୍ଷତ୍ର (ସୂର୍ଯ୍ୟ) ଅଧିକରୁ ଅଧିକ ବ୍ୟତିକ୍ରମ ଭଳି ମନେହେଉଛି । ଦ୍ୱୈତ ନକ୍ଷତ୍ର ଆକାଶଗଙ୍ଗାକୁ ପରିକ୍ରମା କରିବା ସମୟରେ ଅତୁଟ ଯୋଡ଼ା ଭାବେ ପରସ୍ପର ସହ ଯୋଡ଼ି ହୋଇଥାନ୍ତି । ନିକଟରେ ନକ୍ଷତ୍ରବିଜ୍ଞାନୀମାନେ ମିଲ୍‌କି ୱେର କେନ୍ଦ୍ରରେ ଅବସ୍ଥାନ କରୁଥିବା ଏକ ସୁପରମାସିଭ୍‌ ବ୍ଲାକ୍‌ହୋଲ୍‌ଠୁ କମ୍‌ ଦୂରତାରେ ଆଶ୍ଚର୍ଯ୍ୟଜନକ ଭାବେ ପରିକ୍ରମା କରୁଥିବା ଏକ ନକ୍ଷତ୍ର ଯୋଡ଼ାକୁ ଚିହ୍ନଟ କରିଥିଲେ । ବୈଜ୍ଞାନିକଙ୍କ ଧାରଣା ଥିଲା, ଏହି ସ୍ଥାନ ଦୁଇ ନକ୍ଷତ୍ରକୁ ପରସ୍ପରଠୁ ଅଲଗା କରିଦେବ କିମ୍ବା ଭୀଷଣ ମାଧ୍ୟାକର୍ଷଣ ଦ୍ୱାରା ଦୁହିଁକୁ ନଷ୍ଟ କରିଦେବ । ଯୋଡ଼ା ନକ୍ଷତ୍ର ପ୍ରଣାଳୀର ଆବିଷ୍କାର ଏବେ ଖୁବ୍‌ ସାଧାରଣ କଥା ହୋଇଛି । କିଛି ବୈଜ୍ଞାନିକ ବିଶ୍ୱାସ କରୁଛନ୍ତି, ଦିନେ ସବୁ ନକ୍ଷତ୍ରଙ୍କର ଆଉ ଏକ ଯମଜ ସାଥୀ ଥିଲା । ଯୋଡ଼ା ଭାବେ ଏମାନଙ୍କର ଉତ୍ପତ୍ତି ହୋଇଥିଲା । 

ଏବେ ପ୍ରଶ୍ନ ଉଠିଛି, କ’ଣ ଆମ ସୂର୍ଯ୍ୟର ବି ଦିନେ ଏକ ସାଥୀ ଥିଲା? ସେ କ’ଣ ବହୁ ପୂର୍ବରୁ ନଷ୍ଟ ହୋଇସାରିଛି? ନ୍ୟୁୟର୍କର ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ନକ୍ଷତ୍ରବିଜ୍ଞାନୀ ଗୋଙ୍ଗଜି ଲି କହିଛନ୍ତି, ଏହା ନିଶ୍ଚିତ ଭାବେ ସମ୍ଭବ । ବାସ୍ତବରେ ଏହା ଅତ୍ୟନ୍ତ ମଜାଦାର ବିଷୟ । ଏବେ ଆମ ସୂର୍ଯ୍ୟର କୌଣସି ସାଥୀ ନାହିଁ । ଯଦି ଥାନ୍ତା, ତନ୍ମଧ୍ୟରୁ ଗୋଟିଏ ସାଥୀର ମାଧ୍ୟାକର୍ଷଣ ବଳ ପୃଥିବୀ ଓ ଅନ୍ୟ ଗ୍ରହଙ୍କ ପରିକ୍ରମାରେ ବାଧକ ହୋଇଥାନ୍ତା । ପୃଥିବୀକୁ ଚରମ ଉତ୍ତାପରୁ ଭୀଷଣ ଥଣ୍ଡାରେ ରୂପାନ୍ତର କରିଥାନ୍ତା, ଯାହା ଜୀବଜଗତ ସୃଷ୍ଟି ପାଇଁ ଅନୁପଯୁକ୍ତ ହୋଇଥାନ୍ତା । ପୃଥିବୀର ସବୁଠୁ ନିକଟତର ଦ୍ୱୈତ ନକ୍ଷତ୍ର ଆଲ୍‌ଫା ସେଣ୍ଟରି ଏ ଓ ବି ପୃଥିବୀ-ସୂର୍ଯ୍ୟ ଦୂରତାର ପ୍ରାୟ ୨୪ ଗୁଣ ବା ୩୬୦ କୋଟି ମାଇଲ ଦୂରରେ ପରସ୍ପରକୁ ପରିକ୍ରମା କରୁଛନ୍ତି । ବୈଜ୍ଞାନିକଙ୍କ ଅନୁମାନ, ଆମ ସୂର୍ଯ୍ୟର ମଧ୍ୟ ଏକ ନିରବ ସାଥୀ ଥାଇପାରେ, ଯାହା ଆଜି ଆମ ସୌରମଣ୍ଡଳକୁ ପରିକ୍ରମା କରୁଥାଇପାରେ । ଏହି କାଳ୍ପନିକ ନକ୍ଷତ୍ରକୁ ‘ନେମେସିସ୍‌’ କୁହାଯାଏ । 

୧୯୮୪ ମସିହାରେ ଏହା ବିଷୟରେ ପ୍ରସ୍ତାବ ଆସିବା ସତ୍ତେ୍ୱ ତା’ପରଠୁ ଲୋକପ୍ରିୟତା ହରାଇଛି । କାରଣ ଅନେକ ସର୍ଭେ ଓ ଅଧ୍ୟୟନରେ ଏଭଳି କୌଣସି ନକ୍ଷତ୍ର ଚିହ୍ନଟ ହୋଇନଥିଲା । କିନ୍ତୁ ୪୬୦ କୋଟି ବର୍ଷ ତଳେ ଆମ ସୂର୍ଯ୍ୟର ଉତ୍ପତ୍ତି ସମୟରେ ମାମଲା ଭିନ୍ନ ହୋଇଥିବ । ଧୂଳି ଓ ଗ୍ୟାସ୍‌ର ବିଶାଳ ବାଦଲ ଥଣ୍ଡା ହୋଇ ପରସ୍ପର ସହ ଲାଗି ପିଣ୍ଡୁଳା ହେବା ପରେ ନକ୍ଷତ୍ର ସୃଷ୍ଟି ହୋଇଥାଏ । ନେବୁଲା ଭିତରେ ଉପାଦାନ, ଯାହା ଗ୍ୟାସ୍‌ ଓ ଧୂଳିର କୋକୁନ୍‌ ଭାବେ ଜଣାଶୁଣା³ ମାଧ୍ୟାକର୍ଷଣ ଦ୍ୱାରା ପରସ୍ପର ଧକ୍କା ହୋଇ ବିଶାଳ ପିଣ୍ଡୁଳା ଭାବେ ବୃଦ୍ଧି ହୁଅନ୍ତି । ଏଥିଯୋଗୁ ଲକ୍ଷାଧିକ ବର୍ଷ ଧରି ଏହା ଉଷ୍ଣ ରହେ । ଧୀରେ ଧୀରେ ନିଜ ଚତୁଃପାଶ୍ୱର୍ରେ ଘୂରୁଥିବା ଅବଶେଷମାନଙ୍କର ଏକ ବଳୟ ଜରିଆରେ ଏକ ପ୍ରୋଟୋଷ୍ଟାର୍‌ ସୃଷ୍ଟି କରିବାକୁ ଆଣବିକ ମିଶ୍ରଣକୁ ପ୍ରଜ୍ଜ୍ୱଳିତ କରେ । ତାହା ଗ୍ରହକୁ ଜନ୍ମ ଦିଏ । 

୨୦୧୭ ମସିହାରେ କ୍ୱିନ୍ସ ୟୁନିଭର୍ସିଟି, କାନାଡାର ନକ୍ଷତ୍ରବିଜ୍ଞାନୀ ସାରା ସାସାଭଏ ନକ୍ଷତ୍ର ଉତ୍ପତ୍ତିର ପ୍ରକ୍ରିୟାରେ ପ୍ରୋଟୋଷ୍ଟାର୍‌ଙ୍କ ଗଠନ ଯୋଡ଼ାରେ ହୋଇଥାଏ ବୋଲି ନିଷ୍କର୍ଷରେ ପହଞ୍ଚିବାକୁ ଆଣବିକ ବାଦଲର ରେଡିଓ ସର୍ଭେରୁ ତଥ୍ୟକୁ ପ୍ରୟୋଗ କରିଥିଲେ । ଆଣବିକ ବାଦଲ ଏକ ତାରକୀୟ ନର୍ସରୀ, ଯାହା ଯୁବ ଦ୍ୱୈତ ନକ୍ଷତ୍ର ପ୍ରଣାଳୀରେ ପରିପୂର୍ଣ୍ଣ । ସାରା ଓ ତାଙ୍କ ସହକର୍ମୀମାନେ ଏଥିରୁ ଜାଣିବାକୁ ପାଇଲେ ଯେ ଯୋଡ଼ାରେ କିମ୍ବା ଏକାଧିକ ନକ୍ଷତ୍ର ପ୍ରଣାଳୀରେ ସମସ୍ତ ନକ୍ଷତ୍ରଙ୍କର ଉତ୍ପତ୍ତି ହୋଇଥାଇପାରେ ।