ମନମୁଣ୍ଡା, ୧୯/୧୨ : ଦହିବରା ଖାଇ ୭୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗ୍ରାମରେ ଏହି ଘଟଣା ଘଟିଛି। ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।
ସୂଚନା ମୁତାବକ, ଗବଯୋର ଗ୍ରାମର ସାପ୍ତାହିକ ହାଟରେ ଜଣେ ସ୍ଥାନୀୟ ଦହିବରା ବ୍ୟବସାୟୀ ନିକଟରୁ ଲୋକେ ଦହିବରା କିଣି ଖାଇଥିଲେ। ପରେ ଉକ୍ତ ବ୍ୟବସାୟୀ ଅପରାହ୍ନ ସମୟରେ ଗବଯୋର ଗ୍ରାମକୁ ଦହିବରା ବିକ୍ରି କରିବାକୁ ଆସିଥିଲା । ଗ୍ରାମରେ ଛୋଟ ପିଲା ଠାରୁ ବଡ଼ ଲୋକ ସମସ୍ତେ ଦହିବରା ଖାଇଥିଲେ। ଖାଇବା ପରେ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା । ଏପରିକି ଅନେକ ଛୋଟ ଛୁଆଙ୍କ ସହ ଲୋକେ ଅସୁସ୍ଥ ହୋଇ ପଡିଥିଲେ।
ଖବର ପାଇ ପଲସାଗୋରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ନିଖିଲ ପ୍ରସାଦ ଭୁକ୍ତା ନିଜ ଟିମ୍ ସହ ପ୍ରଥମେ ଉକ୍ତ ଗ୍ରାମରେ ପହଁଚି ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ରୋଗୀ ସଂଖ୍ୟା ବଢିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସାଏଙ୍କ ଏକ ଟିମ୍ ସେଠାକୁ ଯାଇଥିଲେ। ତାପର କଣ୍ଟାମାଳରୁ ଡାକ୍ତର ଜଗଦୀଶ ସେଠୀ, ବାଉଁଶୁଣି ସି ଏଚ୍ ସି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଡିପିଏଚଓ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଏଡିପିଓ (ଡି ସି ) ଡାକ୍ତର ଶାନ୍ତା ନିବେଦିତା ଓ ଆହୁରି ଅନେକ ସ୍ବାସ୍ଥ୍ୟ କର୍ମୀ ଉକ୍ତ ଗ୍ରାମରେ ପହଞ୍ଚି ରୋଗୀଙ୍କୁ ଔଷଧ, ଇଞ୍ଜେକ୍ସନ ଏବଂ ସାଲାଇନ ଇତ୍ୟାଦି ଦେଇ ଚିକିତ୍ସା କରିଥିଲେ। କେତେକଙ୍କୁ ମେଡିକାଲ ପଠା ଯାଇଛି। ଏହାକୁ ନେଇ ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସମସ୍ତ ଅସୁସ୍ଥଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଗ୍ରାମର ଅଙ୍ଗନୱାଡି କର୍ମୀଙ୍କ ସହ ଆଶାକର୍ମୀମାନେ ମଧ୍ୟ ଡାକ୍ତରୀ ଟିମକୁ ସହଯୋଗ କରିଥିବା ଦେଖିବାକୁ ମିଳିଛି। ପ୍ରାୟ ସମସ୍ତେ ସୁସ୍ଥ ହୋଇ ଯାଇଥିବା ଜାଣିବାକୁ ମିଳିଛି। ତେବେ ଆଜି ସକାଳ ସମୟରେ ମେଡିକାଲ ଟିମ୍ ପୁଣି ଉକ୍ତ ଗ୍ରାମକୁ ଯାଇ ଅସୁସ୍ଥଙ୍କ ସ୍ବାସ୍ଥ୍ୟ ପଚାରି ବୁଝି ଚିକିତ୍ସା ସେବା ଯୋଗାଇ ଦେଇଥିବା ଓ ସଚେତନ କରିଥିବା ମନମୁଣ୍ଡା ସିଏଚସି ଅଧ୍ୟକ୍ଷ ଡାକ୍ତର ସାଏ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଏମିତି ବି ଆସେ ମୃତ୍ୟୁ... ମୁଣ୍ଡରେ ଅମୃତଭଣ୍ଡା ପଡ଼ି ଆଖିବୁଜିଲେ ମହିଳା, ମା’ ଛେଉଣ୍ଡ ହୋଇଗଲେ ୩ ସନ୍ତାନ