ସଂସଦରେ ଥମୁନି 'ମନରେଗା' ତାତି...

ନୂଆ ବିଲ୍‌କୁ କଂଗ୍ରେସର ଜୋରଦାର ବିରୋଧ...

ଯୋଜନାରୁ ଗାନ୍ଧୀଙ୍କ ନାମ ହଟାଇବାରୁ ବିରୋଧ...

ନୂଆଦିଲ୍ଲୀ : "ବିକଶିତ ଭାରତ ଜୀ, ରାମଜୀ ବିଲ୍"କୁ ନେଇ କଂଗ୍ରେସ ଲଗାତାର ଭାବରେ ମୋଦୀ ସରକାରଙ୍କୁ ଆକ୍ରମଣ କରିବାରେ ଲାଗିଛି, ଯାହାକି ସଂପ୍ରତି ସଂସଦରେ ଆଗତ ହୋଇଛି। କେବଳ କଂଗ୍ରେସ ନୁହେଁ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ବିଲ୍ ଉପରେ ଗମ୍ଭୀର ଆପତ୍ତି ଉଠାଇଛନ୍ତି। ଏହାକୁ ରାଜ୍ୟ ଗୁଡ଼ିକର ଅଧିକାର ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନ ସହିତ ଜଡିତ ବିଷୟ ବୋଲି ସେମାନେ କହିଛନ୍ତି। ଏହି ସମୟରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)ର ନାମ ପରିବର୍ତ୍ତନ କରିବା ଜାତିର ପିତାଙ୍କ ଦ୍ୱିତୀୟ ହତ୍ୟା ସହିତ ସମାନ।

ଉଲ୍ଲେଖନୀୟ କି, ମନରେଗା ଅଧୀନରେ, ସରକାର ଗ୍ରାମାଞ୍ଚଳରେ ୧୦୦ ଦିନର କାମ ଗ୍ୟାରେଣ୍ଟି ଦିଅନ୍ତି ଏବଂ କାମ ନ ମିଳିବା କ୍ଷେତ୍ରରେ ବେକାରୀ ଭତ୍ତା ମଧ୍ୟ ପ୍ରଦାନ କରନ୍ତି। ନୂତନ ବିଲ୍ ଏହି ୧୦୦ ଦିନର ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି, ଯେତେବେଳେ କି ଅନ୍ୟ ଦୁଇଟି ସର୍ତ୍ତ ସମାନ ରହିଛି।

'ନେହେରୁଙ୍କ ପରେ, ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରାଯାଇଛି'...

ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ଏହି ବିଲ୍ କେବଳ ନାମ ପରିବର୍ତ୍ତନ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଯୋଜନାର ମୌଳିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ଆଣିଛି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପି. ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, "ବର୍ଷ ବର୍ଷ ଧରି ଜବାହରଲାଲ ନେହେରୁଙ୍କୁ ଅପମାନିତ କରିବା ପରେ, ସେମାନେ ଏବେ ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। କେନ୍ଦ୍ର ସରକାର ଚାହୁଁଛି ଯେ, ପିଲାମାନେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ନ ଜାଣନ୍ତୁ। ସେମାନେ ଭାରତର ଲୋକଙ୍କ ସ୍ମୃତିରୁ ମହାତ୍ମା ଗାନ୍ଧୀଙ୍କ ନାମକୁ ଲିଭାଇ ଦେବାକୁ ଚାହୁଁଛନ୍ତି।"

ବିଜେପି କଂଗ୍ରେସକୁ କ’ଣ କହିଛି …

ଏହି ପ୍ରସଙ୍ଗରେ ଲୋକସଭାରେ ଆଜି (ବୁଧବାର) ବିଜେପି କହିଛି ଯେ, ଦେଶରେ ରାମରାଜ୍ୟ ଆଣିବା ଏବଂ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ 'ବିକଶିତ ଭାରତ - ଜୀ ରାମ ଜୀ ବିଲ୍, ୨୦୨୫' ଆଗତ କରାଯାଇଛି।

ଏହା ସହ ପଢନ୍ତୁ : ଦିଲ୍ଲୀରେ ମୋବାଇଲ୍ ଆପରେ ମିଳିବ ମଦ, ଦୌଡିବାକୁ ପଡିବନି ଦୋକାନରୁ ଦୋକାନ, ଘରେ ବସି ଅର୍ଡର କରିପାରିବେ ମନ ପସନ୍ଦର ବ୍ରାଣ୍ଡ…