ଆସୁଛି ନୂଆ ଅବକାରୀ ନୀତି...

ମୋବାଇଲ୍ ଆପରେ ମିଳିବ ଷ୍ଟକ୍ ସୂଚନା...

ବୋତଲ ରିଜର୍ଭ କରିବାକୁ ମିଳିବ ସୁବିଧା...

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏବେ ମଦ୍ୟପାନରେ ଶୌକ ରଖୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ ଖବର। ଖୋଦ୍ ଦିଲ୍ଲୀ ସରକାର ଏହାର ନୂତନ ଅବକାରୀ ନୀତିରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏବେ ଆପଣଙ୍କୁ ଆଉ ଆପଣଙ୍କର ପ୍ରିୟ ବ୍ରାଣ୍ଡ ପାଇଁ ଦୋକାନରୁ ଦୋକାନକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଏଥିପାଇଁ ସରକାର ଏକ ମୋବାଇଲ୍ ଆପ୍ ଲଞ୍ଚ କରୁଛନ୍ତି, ଯେଉଁଥିରେ ଆପଣ ଘରେ ବସି ମଦ ଅର୍ଡର କରିପାରିବେ। ଏହି ଆପ୍ କେବଳ ମଦ ଅର୍ଡର ପାଇଁ ନୁହେଁ ବରଂ ଷ୍ଟକ୍ ସୂଚନା ପ୍ରଦାନ କରିବ ଏବଂ ଆପଣଙ୍କୁ ଏକ ବୋତଲ ରିଜର୍ଭ କରିବାକୁ ମଧ୍ୟ ସୁବିଧା ଦେବ।

ଦିଲ୍ଲୀର ନୂତନ ଅବକାରୀ ନୀତିର ଡ୍ରାଫ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ (PWD) ମନ୍ତ୍ରୀ ପରଭେଶ ବର୍ମାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଏହା ଉପରେ ଦ୍ରୁତ ଗତିରେ କାମ କରୁଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉପବୋକ୍ତାଙ୍କ ଠାରୁ ମତାମତ ଲୋଡ଼ିବା ପାଇଁ ନୀତିକୁ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ଏହି ପ୍ରକ୍ରିୟା ଜାନୁଆରୀ ସୁଦ୍ଧା ଆରମ୍ଭ ହେବାର ସମ୍ଭାବନା ଅଛି। ଜନସାଧାରଣଙ୍କ ପରାମର୍ଶ ଆଧାରରେ ନୀତିକୁ ସଂଶୋଧିତ କରାଯିବ। ତା’ପରେ ଏହାକୁ କ୍ୟାବିନେଟ୍ ଏବଂ ତା’ପରେ ଉପରାଜ୍ୟପାଳଙ୍କ ନିକଟକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପଠାଯିବ, ଯାହା ପରେ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ।

​​​​​​​

"ପୁରୁଣା ଅବକାରୀ ନୀତି" ସେପ୍ଟେମ୍ବର ୨୦୨୨ ରୁ ଦିଲ୍ଲୀରେ କାର୍ଯ୍ୟକାରୀ ହୋଇଛି, ଏବଂ ଏହାକୁ ବାରମ୍ବାର ବୃଦ୍ଧି କରାଯାଇଛି। ସମ୍ପ୍ରତି, ଏହାକୁ ପୁଣି ତିନି ମାସ ପାଇଁ ବୃଦ୍ଧି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ପଷ୍ଟ କରିଛନ୍ତି ଯେ ନୂତନ ନୀତିର ଲକ୍ଷ୍ୟ ହେଉଛି ଏକ ସ୍ୱଚ୍ଛ ଢାଞ୍ଚା ସୃଷ୍ଟି କରିବା, ଯାହା ଦିଲ୍ଲୀର ରାଜସ୍ୱକୁ ସର୍ବାଧିକ ବୃଦ୍ଧି କରିବ। ଏହି ଉଦ୍ଦେଶ୍ୟରେ ଅନ୍ୟ ରାଜ୍ୟ ଗୁଡ଼ିକର ସର୍ବୋତ୍ତମ ଅଭ୍ୟାସ ଗୁଡ଼ିକୁ ମଧ୍ୟ ଅଧ୍ୟୟନ କରାଯାଇଛି।

ଏବେ ଆସନ୍ତୁ ଜାଣିବା କେମିତି ରହିବ ମୋବାଇଲ୍ ଆପ୍…

-ଆପ୍ ମାଧ୍ୟମରେ, ଆପଣ ଆପଣଙ୍କ ନିକଟସ୍ଥ ସରକାରୀ ମଦ ଦୋକାନରେ କେଉଁ ବ୍ରାଣ୍ଡ ଉପଲବ୍ଧ ତାହା ଦେଖିପାରିବେ…

-ଆପଣ ଆପଣଙ୍କର ପ୍ରିୟ ମଦ ପ୍ରି-ବୁକ୍ କରିପାରିବେ…

-ବୁକିଂ କରିବା ପରେ, ଦୋକାନ ଆପଣଙ୍କ ପାଇଁ ଗୋଟିଏ ଘଣ୍ଟା ପାଇଁ ବୋତଲକୁ ରିଜର୍ଭ ରଖିବ। ଯଦି ଆପଣ ଏକ ଘଣ୍ଟା ମଧ୍ୟରେ ପହଞ୍ଚି ନ ଥାଆନ୍ତି, ତେବେ ଏହା ପୁଣି ସାଧାରଣ ବିକ୍ରୟ ପାଇଁ ଉପଲବ୍ଧ ହେବ…

-ଆପ୍ ମାଧ୍ୟମରେ, ସରକାର କେଉଁ ବ୍ରାଣ୍ଡ ଲୋକମାନେ ସବୁଠାରୁ ଅଧିକ ଖୋଜୁଛନ୍ତି ତାହାର ତଥ୍ୟ ସଂଗ୍ରହ କରିବେ। ଯଦି ଏକ ବ୍ରାଣ୍ଡ ଷ୍ଟକ୍ ବାହାରେ ଥାଏ, ତେବେ ଚାହିଦା ଆଧାରରେ ଏହାକୁ ଦୋକାନ ଗୁଡ଼ିକରେ ଉପଲବ୍ଧ କରାଯାଇପାରିବ…

ଏହା ଦ୍ବାରା ମଦ ଦୋକାନ ଗୁଡ଼ିକରେ ଭିଡ଼ ହ୍ରାସ ପାଇବ। ପ୍ରାୟତଃ ଦେଖାଯାଏ ଯେ ଗୋଟିଏ ସ୍ଥାନରେ ଏକାଧିକ ଦୋକାନ ରହିବା ଫଳରେ ଲୋକଙ୍କ ଭିଡ଼ ବୃଦ୍ଧି ପାଉଛି। ନୂତନ ନୀତି ଏହି ସମସ୍ୟାକୁ ସମାଧାନ କରିବ ବୋଲି ଆଶଙ୍କା କରାଯାଉଛି ।