କେନ୍ଦୁଝର ସଦର,୦୬/୧୧: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ଧାନ ଫସଲରେ ଏକ ଅଜଣା ରୋଗ ବ୍ୟାପିବା ଫଳରେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅମଳ ସମୟ ପୂର୍ବରୁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କ୍ଷେତରେ ପାଚିଲା ଧାନ ଦେଖି ଚାଷୀର ଆତ୍ମା କାନ୍ଦୁଛି

ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ଯଥା ଶଙ୍କିରୀ, ବାଉରିପଦା, କାଠବାରୀ, ଗୋବର୍ଦ୍ଧନ, ହାଣ୍ଡିଭଙ୍ଗା ଏବଂ ଆଖପାଖ ଅଞ୍ଚଳରେ ଧାନ ଫସଲରେ ଏକ ନୂଆ ରୋଗର ଲକ୍ଷଣ ଦେଖାଦେଇଥିଲା। ଚାଷୀଙ୍କ କହିବାନୁଯାୟୀ, ପ୍ରଥମେ ଧାନ ଗଛର ପତ୍ର ହଳଦିଆ ପଡ଼ିଯାଉଛି ଏବଂ ପରେ ଧାନ କେଣ୍ଡାରେ ଦାନା ନ ହୋଇ ତାହା ଶୁଖିଯାଉଛି। କିଛି ଜାଗାରେ 'ଚକଡ଼ା ପୋକ' (Brown Plant Hopper) ପରି କୀଟ ମଧ୍ୟ ବ୍ୟାପିଥିବାର ଦେଖିବାକୁ ମିଳିଛି । ଯାହା ଗଛରୁ ରସ ଶୋଷି ନେଉଛି। ଉଭୟ ରୋଗ ଓ ପୋକର ମିଳିତ ଆକ୍ରମଣ ଯୋଗୁଁ ଫସଲର ବ୍ୟାପକ କ୍ଷତି ହୋଇଛି। ସ୍ଥାନୀୟ ଚାଷୀମାନେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ବର୍ଷ ସାରା କଷ୍ଟ କରି ଋଣ କରି ଧାନ ଚାଷ କରିଥିଲୁ। ଏହି ସମୟରେ ଧାନ ଅମଳ ହେବା କଥା, କିନ୍ତୁ ଏବେ ସବୁ ନଷ୍ଟ ହୋଇଗଲା। କେଉଁ ରୋଗ ଲାଗିଲା କିମ୍ବା କି ପୋକ ପଡ଼ିଲା, କିଛି ଜାଣି ହେଉନାହିଁ। ବିଭିନ୍ନ ପ୍ରକାର କୀଟନାଶକ ଓ ଫସଲ ସୁରକ୍ଷା ଔଷଧ ପ୍ରୟୋଗ କରି ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଏହି କ୍ଷତି ଭରଣା ହେବ କିପରି?"ଫସଲରେ ରୋଗ ବ୍ୟାପିବାର ଖବର ପାଇବା ପରେ ସଦର ବ୍ଲକ କୃଷି ବିଭାଗ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଚାଷୀର ନଷ୍ଟ ହୋଇଥିବା ଧାନ ଫସଲର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।

କୃଷି ବିଭାଗ କହିବା ଅନୁଯାୟୀ, "ଏହା କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ପାଗରେ ଅନିୟମିତତା, ଆବଶ୍ୟକୀୟ ଠାରୁ ଅଧିକ ବର୍ଷା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ସମସ୍ୟା ଉପୁଜିଥାଏ। ସଦର କୃଷି ଅଧିକାରୀ ସୁଶାନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ କୁହନ୍ତି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷେତ୍ର ପରିଦର୍ଶନ ଚାଲିଛି।