ତିହିଡ଼ି ୦୭/୦୩: ଦଶ ଦିନ ହେଲା ଭଦ୍ରକ ଜିଲ୍ଲାର ୧୫୧ ଧାନମଣ୍ଡିରେ ତାଲା ପଡ଼ିଛି । ଧାନ କିଣା ଠପ୍ ହୋଇଛି । କିଣା ଯାଇଥିବା ଧାନ ମଣ୍ଡିରୁ ଉଠୁନାହିଁ । ରାଇସ୍ ମିଲ୍ରେ ମଧ୍ୟ ଧାନ ରଖିବାକୁ ଜାଗା ନାହିଁ । ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ବିଳମ୍ୱରେ ହେଉପଛେ ଭଦ୍ରକ ଜିଲ୍ଲାକୁ ବାହାର ଜିଲ୍ଲାର ୧୧ଟି ରାଇସ୍ ମିଲ୍ ଆସିଛନ୍ତି । ବାହାର ରାଇସ୍ ମିଲ୍ମାନଙ୍କ ମଧ୍ୟରେ କାହାକୁ କେତେ ଧାନ କିଣିବା ଟାର୍ଗେଟ ଦେବେ ତାହାକୁ ନେଇ ଶୁକ୍ରବାର ଦିନ ତମାମ ଜିଲ୍ଲା ଯୋଗାଣ ବିଭାଗ କସରତ ଚଳାଇଛି । ଅନ୍ୟପଟେ ୧୦ ଦିନ ହେଲା ଧାନ କିଣା ଠପ୍ ହୋଇଥିବା ବେଳେ ୧୫ ଦିନ ହେଲାଣି ଧାନ ବିକିଥିବା ଚାଷୀ ଟଙ୍କା ପାଉନି ।
ଜିଲ୍ଲା ଯୋଗାଣ ବିଭାଗ ହାତରେ ଏବେ ୧୦ ଲକ୍ଷ କୁଇଣ୍ଟାଲ୍ ଧାନ କିଣିବା ଟାର୍ଗେଟ ରହିଛି । କିନ୍ତୁ ଆହୁରି ୧୦ ଲକ୍ଷ କୁଇଣ୍ଟାଲ୍ ଟାର୍ଗେଟ ନ ଆସିଲେ ଚାଷୀଙ୍କ ଧାନ କିଣା ହୋଇପାରିବ ନାହିଁ ବୋଲି ତଥ୍ୟ କହୁଛି । ୨୦୨୫ରେ ଜିଲ୍ଲାରୁ ୩୫ ଲକ୍ଷ କୁଇଣ୍ଟାଲ୍ ଧାନ କିଣାଯାଇଥିଲା । ଏହି ତୁଳନାରେ ୨୦୨୬ରେ ୪୦ରୁ ୪୨ ଲକ୍ଷ କୁଇଣ୍ଟାଲ୍ ଧାନ କିଣା ନ ଗଲେ ପରିସ୍ଥିତି ଅସମ୍ଭାଳ ହେବ । କାରଣ ଜିଲ୍ଲାରେ ଚଳିତ ବର୍ଷ ୧୦୨ ଲକ୍ଷ କୁଇଣ୍ଟାଲ୍ ଧାନ ଅମଳ ହୋଇଛି । ଚଳିତ ଧାନ କିଣା ସିଜିନ୍ ପୂର୍ବରୁ ସରକାର ଭଦ୍ରକ ଜିଲ୍ଲାକୁ ପ୍ରଥମେ ୧୩ ଲକ୍ଷ ୩୦ ହଜାର କୁଇଣ୍ଟାଲ୍ ଟାର୍ଗେଟ ଦେଇଥିଲେ । ଦ୍ୱିତୀୟ ଦଫାରେ ପୁଣି ୧୮ ଲକ୍ଷ କୁଇଣ୍ଟାଲ୍ ଟାର୍ଗେଟ ଦେଲେ । ଜିଲ୍ଲାକୁ ମୋଟ ୩୧ ଲକ୍ଷ ୩୦ ହଜାର କୁଇଣ୍ଟାଲ୍ ଟାର୍ଗେଟ ମିଳିଛି । ଜିଲ୍ଲାର ୭ଟି ବ୍ଲକ୍ର ୧୫୧ଟି ମଣ୍ଡିରେ ଧାନ ବିକିବାକୁ ୯୬ ହଜାର ୨୩୩ ଚାଷୀ ପଞ୍ଜିକୃତ ହୋଇଥିଲେ । ମାର୍ଚ୍ଚ ୬ ତାରିଖ ସୁଦ୍ଧା ମାତ୍ର ୫୪ ହଜାର ୯୬୫ ଚାଷୀ ଧାନ ବିକିଛନ୍ତି । ଆହୁରି ୪୨ ହଜାର ଚାଷୀ ଧାନ ବିକିବା ପାଇଁ ଅପେକ୍ଷା କରିଛନ୍ତି । ୩୧ ଲକ୍ଷ ୩୦ ହଜାର ଟାର୍ଗେଟ ମଧ୍ୟରୁ ଏଯାଏ ୨୧ ଲକ୍ଷ ୩୫ ହଜାର କୁଇଣ୍ଟାଲ୍ ଧାନ କିଣାଯାଇଛି । ପାଖାପାଖି ଆହୁରି ୧୦ ଲକ୍ଷ କୁଇଣ୍ଟାଲ୍ ଟାର୍ଗେଟ ଯୋଗାଣ ବିଭାଗ ହାତରେ ରହିଛି । ଭଦ୍ରକ ଜିଲ୍ଲାର ୨୨ଟି ରାଇସ୍ ମିଲ୍ ଏବେ ଧାନ କିଣୁଥିବା ବେଳେ ଏହି ଧାନ କିଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାହାର ଜିଲ୍ଲାରୁ ଆସିଛନ୍ତି ୧୧ ମିଲ୍ । ବାହାର ମିଲର୍ଙ୍କୁ କେତେ ଟାର୍ଗେଟ ଦିଆଯିବ ତାହା ଉପରେ ଚାଲିଛି ତର୍ଜମା । ଏହି ୧୧ ମିଲ୍ ମଧ୍ୟରୁ ୮ଟି ସିକ୍ୟୁରିଟି ଡିପୋଜିଟ୍ କରିସାରିଛନ୍ତି । ସିକ୍ୟୁରିଟି ଅନୁପାତରେ ଧାନ କିଣା ଟାର୍ଗେଟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ଜିଲ୍ଲାରେ ଥିବା ୧୦୩ଟି ସମବାୟ ସୋସାଇଟି ମଧ୍ୟରୁ ପାଖାପାଖି ୭୦ଟି ସୋସାଇଟିରେ ଏବେ ଚାଷୀମାନେ ଧାନ ବିକିବା ପାଇଁ ଅପେକ୍ଷାରତ । ନିଶ୍ଚନ୍ତପୁର, ମଙ୍ଗଳପୁର, ଭାଟପଡ଼ା, ଦୋଷିଙ୍ଗା, ପାଳିଆବିନ୍ଧା, ଚାରିତରଫ, ଗାନ୍ଧିନଗର, ବିଜୟନଗର ଆଦି ବହୁ ସମବାୟ ମଣ୍ଡିକୁ ୧୦ ହଜାର କୁଇଣ୍ଟାଲ୍ ଲେଖାଏଁ ଟାର୍ଗେଟ ନ ମିଳିଲେ ଚାଷୀଙ୍କ ଧାନ କିଣା ଯୋଇପାରିବନି ବୋଲି ଚର୍ଚ୍ଚା ହେଉଛି । ଧାନ ନ ବିକି ପାରିଲେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିବ । ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ବିଭାଗ କିଣିଥିବା ୨୧ ଲକ୍ଷ ୩୫ ହଜାର କୁଇଣ୍ଟାଲ୍ ଧାନ ମଧ୍ୟରୁ ଜିଲ୍ଲାରେ ଥିବା ୨୨ଟି ମିଲ୍ ନିଜ ଟ୍ରକ୍ରେ ୧୬ ଲକ୍ଷ ୮୬ ହଜାର କୁଇଣ୍ଟାଲ୍ ଧାନ ଉଠାଇଛନ୍ତି । ମଣ୍ଡିଗୁଡ଼ିକରେ ଆହୁରି ୪ ଲକ୍ଷ ୪୯ ହଜାର କୁଇଣ୍ଟାଲ୍ ଧାନ ପଡ଼ିରହିଛି । ଦୋଳପର୍ବ ଗଲା, ହେଲେ ଚାଷୀମାନେ ନିଜ ଧାନ ପାଉଣା ପାଇଲେ ନାହିଁ । ସେହିପରି ୧୦ ଦିନ ହେଲା ମଣ୍ଡିରେ ଧାନ କିଣା ଠପ୍ ହୋଇଥିବା ବେଳେ ପୁଣି କେବେ ଧାନକିଣା ଆରମ୍ଭ ହୋବ ତାହାକୁ ନେଇ ଅସନ୍ତୋଷ ଲାଗି ରହିଛି ।
ଆହୁରି ପଢ଼ନ୍ତୁ...