ମାଲକାନଗିରି, ୨/୧୨ : ବିଲରେ ପାଚିଲା ଧାନ ପଡ଼ିଥିବାବେଳେ ଆକାଶରେ ମେଘର ଭସା ବାଦଲ ଦେଖି ଫସଲ ଅମଳ କିପରି ହେବ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ଚାଷୀଙ୍କୁ ଦାଉ ସାଜୁଛି ଅଦିନିଆ ବର୍ଷା ଓ କୋହଲା ପାଗ । ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇ ନ ଥିବାରୁ କିଏ ଖଳାରେ ଅମଳ ଧାନକୁ ରଖି ଜଗି ରହିଛି ତ ଆଉ କିଏ ଜମିରେ ଧାନ କାଟି ପକାଇଛି । ଚାଷୀ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ଜରି ଘୋଡ଼ାଇ ରଖିଛି, ଆଉ କିଏ ଜମିରୁ ଧାନ ଉଠାଇ ଖଳାକୁ ଆଣୁଛି ।

ମାଲକାନଗିରି ଜିଲ୍ଲାରେ କାଲିମେଳା, ପଡିଆ, ମାଲକାନଗିରି, ଖଇରପୁଟ, କୋରକୁଣ୍ଡା, ମାଥିଲି,ଚିତ୍ରକୋଣ୍ଡା ସାତଟି ବ୍ଲକ ରହିଛି । ଏହି ସବୁ ବ୍ଲକରେ ଜମିରୁ ପ୍ରାୟ ୫୦ଭାଗ ଧାନ ଅମଳ ହୋଇସାରିଥିବାବେଳେ ଏବେ ବି ଜମିରେ ଆଉ ୫୦ଭାଗ ଧାନ ପଡ଼ି ରହିଛି । ଯଦି ବର୍ଷା ହୁଏ ପାଚିଲା ଧାନରେ ପାଣି ପଶି ଗଜା ହୋଇଯିବାର ବହୁତ ସମ୍ଭାବନା ରହିଛି ଓ ଚାଷୀ କ୍ଷତି ସହିବ ବୋଲି କୁହାଯାଉଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହିତ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆକଳନ କରିଛି, ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ବହୁତ ସମ୍ଭାବନା ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ମାଲକାନଗିରି ଜିଲ୍ଲାରେ ଚଳିତ ଖରିପ ଚାଷରେ ୭୫୬୬୦ହେକ୍ଟର ଜମିରେ ଧାନ ଚାଷ ହୋଇଛି।

ଚଳିତ ବର୍ଷ ୩୬୭୮୯ଜଣ ଚାଷୀ ବିଭିନ୍ନ ଲ୍ୟାମ୍ପସରେ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ପାଇଁ ଖରିଫ୍ ଧାନ କ୍ରୟ ଟାର୍ଗେଟ ମଧ୍ୟ ଧାର୍ଯ୍ୟ ହୋଇ ସାରିଛି । ଏ ବର୍ଷ ୬୭ଟି ମଣ୍ଡିରେ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ହଜାର କୁଇଣ୍ଟାଲ ଧାନ ସଂଗ୍ରହ ର ଟାର୍ଗେଟ ରହିଛି । ଚଳିତ ମାସ ୧୭ତାରିଖରୁ ବିଭିନ୍ନ ମଣ୍ଡିରେ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସ୍ଥାନରେ ଧାନକଟା ଓ ବିଲରୁ ଧାନ ବୁହା କାମ ଜୋରଦାର ଚାଲିଥିବାବେଳେ ଅଧିକାଂଶ ଜମିରେ ଏବେ ବି ପାଚିଲା ଧାନ ଲହଡ଼ି ମାରୁଛି । ଗତ ମାସରେ ଦେଖା ଦେଇଥିବା ଲଘୁଚାପ ବର୍ଷା ମଧ୍ୟ ଚାଷୀଙ୍କୁ ଡରାଇଥିଲା। ଯଦି ବର୍ଷା ହୁଏ ତେବେ ଚାଷୀଙ୍କ ପଚିଲା ଧାନ ଗଜା ହୋଇଯିବାର ବହୁତ ସମ୍ଭାବନା ରହିଛି ।