ଭୁବନେଶ୍ୱର ୨୪/୧୧: ମଙ୍ଗଳବାରଠ ରାଜ୍ୟରେ ଆରମ୍ଭ ହେବ ଧାନକିଣା। ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡିଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀ ପାଇଁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ ଓ ଶୌଚାଳୟ ଭଳି ବ୍ୟବସ୍ଥା ହୋଇଛି। ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟନୀଛଟନୀ ଉପରେ ନଜର ରହିବ। ବାହାର ରାଜ୍ୟରୁ କେମିତି ଧାନ ଆସିବ ନାହିଁ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଧ୍ୟାନ ଦେବାକୁ କୁହାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ଟାର୍ଗେଟ୍ ବୃଦ୍ଧି କରାଯାଇଛି । ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଖରିଫ୍ ଋତୁ ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୫-୨୬ ଗତ ଅକ୍ଟୋବରରେ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଥିଲା । ଖରିଫ୍ ଧାନ କିଣା ସମୟ ୨୦୨୫ ନଭେମ୍ୱର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି ।

ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗ ଚାଷୀମାନଙ୍କଠାରୁ ଧାନ କିଣା ପାଇଁ ବିଶେଷ ଗୁରୁତ୍ୱ ରହିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ଧାନ ଚାଷ ହୋଇଥିବା ଅଞ୍ଚଳ ବାବଦରେ ସାଟେଲାଇଟ୍ ଯାଞ୍ଚ ସମସ୍ତ ଜିଲ୍ଲାରେ କରାଯାଇଛି । ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀଙ୍କର ଧାନ ସଂଗ୍ରହ ନେଇ ପ୍ରମାଣ କରାଯିବ । ଚାଷୀ ପଞ୍ଜୀକରଣ ପାଇଁ ଇ-କେୱାଇସି ବାଧ୍ୟତାମୂଳକ । ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ଇନପୁଟ ସହାୟତା ମିଶାଇ ୩୧୦୦ ଟଙ୍କା ରହିଛି । ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କେଉଁ ତାରିଖରୁ ଆରମ୍ଭ ହେବ, ତାହା ଅମଳ ସ୍ଥିତିକୁ ଦେଖି ଜିଲ୍ଲାସ୍ତରର ଧାନ ସଂଗ୍ରହ କମିଟିରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଚାଷୀମାନେ ଦେୟମୁକ୍ତ ନମ୍ୱର ୧୯୬୭ରେ ଧାନ କିଣା ବାବଦରେ ବୁଝିବା ସହ ଅଭିଯୋଗ ମଧ୍ୟ କରିପାରିବେ । ଧାନ କିଣା ସମୟରେ ଦୁଇଟି ପାଳିରେ ୩୦ଟି କଲ୍ ସେଣ୍ଟର ଓଡ଼ିଶା ଯୋଗାଣ ନିଗମ ମୁଖ୍ୟାଳୟରେ କାମ କରିବ ।

ରାଜ୍ୟରେ ୩୧୩୪ଟି ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ) ଓ ଲ୍ୟାମ୍ପସ୍ ଧାନ ସଂଗ୍ରହରେ ସାମିଲ ହେବେ । ୧୪୧୯ କଷ୍ଟମ ମିଲର୍ ମଧ୍ୟ ଧାନ ସଂଗ୍ରହ କରିବେ । ମୋଟ ୪୦୮୮ ଟି ମଣ୍ଡି, ଏଫ୍ସିଆଇ ଏବଂ ଯୋଗାଣ ନିଗମର ୧୬୩ଟି ଗୋଦାମ ଘର ଥିବା ବେଳେ ମୋଟ ୬.୬୮ ଲକ୍ଷ ମେଟ୍ରିକ୍ ଟନ୍ ଭଣ୍ଡାର କ୍ଷମତା ରହିଛି । ସମସ୍ତ ଜିଲ୍ଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ସରିଛି । ଧାନ ସଂଗ୍ରହ କରୁଥିବା ଜିଲ୍ଲାଗୁଡିକୁ ଆସନ୍ତା ୨୫ ତାରିଖ ସୁଦ୍ଧା ଏବଂ ବିଳମ୍ୱରେ ଧାନ ସଂଗ୍ରହ କରୁଥିବା ଜିଲ୍ଲାଗୁଡିକୁ ନଭେମ୍ୱର ୩୦ ତାରିଖ ସୁଦ୍ଧା କୃଷକଙ୍କ ଜମି ଅନୁସାରେ ଆବଶ୍ୟକ ପ୍ରମାଣୀକୃତ ବ୍ୟବସ୍ଥା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାନ ପରୀକ୍ଷଣ ଯନ୍ତ୍ର ଓ ଏହାର କାର୍ଯ୍ୟକ୍ଷମ ସଂପର୍କିତ ଯାଞ୍ଚ ଯଥେଷ୍ଟ ପୂର୍ବରୁ କରିବାକୁ କୁହାଯାଇଛି । ମଣ୍ଡିରେ ଚବିଶ ଘଣ୍ଟିଆ ସିସିଟିଭି ତଦାରଖ ବ୍ୟବସ୍ଥା ସହ ପାନୀୟ ଜଳ, ଶୌଚାଳୟ, ଆବଶ୍ୟକ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାନ ସଂଗ୍ରହ କମିଟି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନାଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଭାରତୀୟ ଖାଦ୍ୟ ନିଗମର ପରିଚାଳକ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀରେ ଉପସ୍ଥିତ ଥିଲେ ।