କଳାହାଣ୍ଡି,୦୩/୧୨:  କଳାହାଣ୍ଡିରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା । ଗତ ୨୯ ତାରିଖ ଦିନ  ପୂଜାର୍ଚ୍ଚନା ପରେ  ଆରମ୍ଭ  ହୋଇଛି ଧାନ କିଣା । ଆଜି ୨ଜଣେ ଚାଷୀଙ୍କ ଠାରୁ ୧୫୦ କ୍ଵିଣ୍ଟାଲ ଧାନ କିଣାଯାଇଛି ।  

ସୂଚନା ମୁତାବକ, ଗତ ୨୯ ତାରିଖ ଦିନ ଜିଲ୍ଲାରେ କେବଳ ପୂଜାର୍ଚ୍ଚନା କରି ମଣ୍ଡିର ଶୁଭ ଉଦଘାଟନ ହୋଇଥିବା ବେଳେ  ଉଦଘାଟନର ୪ ଦିନ ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଜୟପାଟଣା ବ୍ଲକ ବାନେର ପେକ୍ସ ଅଧୀନରେ ଥିବା ବିମଳା ମଣ୍ଡିରୁ ୨ଜଣ ଚାଷୀଙ୍କ ୧୫୦ କୁଇଣ୍ଟାଲ ଧାନ କିଣା ଯାଇଛି। ତେବେ ଏହି ମଣ୍ଡିରେ ୭୬୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ସେହିପରି ଜିଲ୍ଲାରେ ୯୦ ଜଣ ମିଲର୍ସ ଯୋଗାଣ ବିଭାଗ ସହିତ ଚୁକ୍ତିନାମା  କରିଥିବା  ବେଳେ କେବଳ ଲଡ଼ୁଗାଁର ଶିବଶଙ୍କର ରାଇସ ମିଲ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଛି। ହେଲେ  ଅନ୍ୟମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ନାହାଁନ୍ତି । ତେବେ ମିଲର୍ସ  କେବେ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ମଣ୍ଡିରୁ ଧାନ ଉଠାଇବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।