କେନ୍ଦୁଝର ସଦର,୦୯/୧୨: କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ର ପ୍ରାୟ ସମସ୍ତ ପଞ୍ଚାୟତରେ ନଭେମ୍ବର ୧୦ରୁ ୧୫ ତାରିଖ ଭିତରେ ଧାନ ଅମଳ କରି ସାରିଛନ୍ତି ଚାଷୀ । ହେଲେ ଚାଷୀଙ୍କୁ ଏବେ ଚିନ୍ତା ଅମଳ ଧାନ ବିକ୍ରି । ଧାନକୁ ସାଇତି ରଖିବାରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଧାନ ଅମଳ ସ୍ଥାନରୁ ଘରକୁ ଆଣିବା ନେବା ଏବଂ ପୁଣି ଘରୁ ବାହାରକୁ ବାହାର କରିବା ଦ୍ୱାରା ଚାଷୀ ପରିବହନ ଏବଂ ଶ୍ରମିକ ବାବଦରେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି ।

ବହୁ ଚାଷୀଙ୍କର ଧାନ ରଖିବା ପାଇଁ ଘର ନାହିଁ । ଧାନ ସବୁ ଖଳା, ଗଛମୂଳ ଦାଣ୍ଡ ବାରଣ୍ଡାରେ ପଡ଼ି ରହିବା ଯୋଗୁଁ ଗାଈ ଗାରୁ ଛେଳି କୁକୁଡ଼ା ଚଢ଼େଇ, ମୂଷା ଖାଇଯାଉଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ଲୋକଙ୍କ ପାଇଁ ହାତୀ ପ୍ରତି ସମ୍ପୂର୍ଣ୍ଣ ବିପଦ ରହୁଛି । ଅମଳ ଧାନ ବାହାରେ ରହୁଛି ବର୍ଷା ଆସିଲେ ଧାନ ଭିଜି ଗଜା ଫିଟିବାର ସୁନିଶ୍ଚିତ । ଚାଷୀ ଧାର କରଜ କରି ଚାଷ କରିଛନ୍ତି । ସରକାର ଧାନ କିଣିବା ବିଳମ୍ବ କରୁଥିବାରୁ ଚାଷୀ ଋଣ ସୁଝିବା ପାଇଁ ବାଧ୍ୟ ହୋଇ ଚାଷୀ ଧାନକୁ ଶାଗ ମାଛ ଦରରେ ବେପାରୀଙ୍କୁ ବିକ୍ରି କରୁଥିବା ଦେଖୁବାକୁ ମିଳିଛି । ଚାଷୀଙ୍କ କହିବା ମୁତାବକ, ଅମଳ ହେବା ପରେ ପରେ ଧାନ ବିକିଲେ ଚଳିବ ।

ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସ ହେଲେ ଚାଷୀ ଝଡ ତୋଫାନରେ ଶିକାର ହେବେ। ତେଣୁ ସରକାର ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ଧାନ କିଣିବା ଆରମ୍ଭ କରିଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ଚାଷୀ ଜଗନ୍ନାଥ ମହାନ୍ତ, ମହେନ୍ଦ୍ର ମହାନ୍ତ, ଦଶରଥ ନାୟକ, ହଳଧର ପରିଡ଼ା, ଶଙ୍କର୍ଷଣ ପରିଡ଼ା, କୁଳମଣୀ ସିଂହ, ଡାକ୍ତର ମହାନ୍ତ, ରାଜେଶ ମୁଦି, ହରେକୃଷ୍ଠ ମହାନ୍ତ, ଦେବାନନ୍ଦ ବାରିକ, ଭଗବାନ ମୁଣ୍ଡା, ରୁଦ୍ରନାରାୟଣ ଘଣା , ଡାକ୍ତର ବାରିକ , ଗୌତମ ମହାନ୍ତ , ଗୌର ମହାନ୍ତ, ବିଭୂରଞ୍ଜନ ପରିଡ଼ା, ରସାନନ୍ଦ ମହାନ୍ତ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁଙ୍କୁ ପଚାରିବାରୁ କୁହନ୍ତି ଜିଲ୍ଲାରେ ଆସନ୍ତା ୨୬ ତାରିଖରୁ ଧାନ କିଣା ଆରମ୍ଭ କରାଯିବ । ଏଥି ନିମନ୍ତେ କମିଟି ବୈଠକ ବସୁଛି । ମିଲର ସହିତ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ।