ପୁରୀ, ୦୧/୦୨: ଆଜି  ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ପଦ୍ମବେଶ ଅନୁଷ୍ଠିତ  ହେବ । ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ  ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ  ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ବଡ଼ଛତା ମଠ  ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଧୂପ ସରିଲା ପରେ ବେଶ ପହଞ୍ଚିବ ବଡ଼ଦେଉଳରେ ।  ବଡ଼ସିଂହାର ବେଶରେ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେବେ । 

ପୁଷ୍କରିଣୀ ପାଲଟିବ ରତ୍ନସିଂହାସନ । ସେଥିରେ ଫୁଟିଥିବ ପଦ୍ମ ଫୁଲ ।  ଖେଳୁଥିବେ ହଂସରାଳି । ପ୍ରସ୍ଫୁଟିତ  ବିଶାଳ ପଦ୍ମର କେଶର ଭାଗରେ ଶୋଭାପାଉଥିବ ଶ୍ରୀମୁଖ । ଶ୍ରୀମସ୍ତକରେ  ଚୂଳମାନ ଲାଗି ହୋଇଥିବେ । ଠାକୁରେ  ଧାରଣ କରିଥିବେ କରପଲ୍ଲବ । ରାତ୍ର ଚନ୍ଦନଲାଗି ନୀତି ବଢ଼ିବା ପରେ  ବଡ଼ସିଂହାରରେ ଠାକୁରେ ଏହି ବେଶ  ହେବେ । ବିଳମ୍ବିତ ରାତି ପର୍ଯ୍ୟନ୍ତ  ଠାକୁରଙ୍କୁ ଏହି ବେଶରେ ଦର୍ଶନକରି  ପୂଣ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ । ଗବେଷକଙ୍କ ମତରେ ସପ୍ତଦଶ  ଶତାବ୍ଦୀରେ ବଡ଼ଛତା ମଠର ମହନ୍ତ  ସନ୍ଥ ରଘୁବର ଦାସ ଏହି ବେଶ  ପ୍ରବର୍ତ୍ତନ କରିଥିଲେ । କିମ୍ୱଦନ୍ତୀ  ଅନୁଯାୟୀ ମନୋହର ଦାସ ନାମକ  ଜଣେ ହିନ୍ଦୀ ଭାଷୀ ସାଧୁଙ୍କ ଭକ୍ତିରେ  ପ୍ରୀତ ହୋଇ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେଉଛନ୍ତି । ରବିବାର  ସକାଳେ ବେଶରେ ଥାଇ ଠାକୁରଙ୍କ  ମଙ୍ଗଳାଳତି ବଢ଼ିବ । ପ୍ରତ୍ୟୁଶରେ  ଠାକୁରଙ୍କ ବେଶ ଦର୍ଶନ ସହ ଭକ୍ତମାନେ  ଖିରି ଅମାଲୁ ଭୋଗ ପ୍ରାପ୍ତ ହେବେ।