ପୁରୀ ୧୭/୦୩: ପଞ୍ଚଭୂତରେ ଲୀନ ହେଲେ ଆଧୁନିକ କବିତାର ସ୍ରଷ୍ଟା ପଦ୍ମଭୂଷଣ କବି ରମାକନ୍ତ ରଥ। ପୁରୀ ସ୍ୱର୍ଗଦ୍ବାରରେ ସାହିତ୍ୟିକ ତଥା କବି ରମାକାନ୍ତ ରଥଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପିନାକୀ ରଥ ମୁଖାଗ୍ନି ଦେଇଛନ୍ତି। ଶେଷକୃତ୍ୟରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟପ୍ରେମୀ, ପୁରୀ ଏସ୍‌ପି, ଜିଲ୍ଲାପାଳ। 

ରବିବାର ଭୋର୍‌ ସାଢ଼େ ୪ଟା ସମୟରେ ଖାରବେଳନଗରସ୍ଥିତ ବାସଭବନରେ ସେ ଶେଷ  ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ କାବ୍ୟ ଓ ସାହିତ୍ୟ ଜଗତ ସ୍ତବ୍ଧ ହୋଇଛି । ବିଦେଶରେ ରହୁଥିବା ତାଙ୍କ ପୁଅ ପିନାକୀ ରଥ ଓଡିଶା ଫେରିବା ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଓଡ଼ିଆ କବିତାର ଏହି ବିରାଟ ସ୍ରଷ୍ଟା ଶ୍ରୀ  ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ  କଟକଠାରେ ଜନ୍ମଗ୍ରହଣ କରିଥିଲେ । ତତ୍କାଳୀନ ଭବାନୀପାଟଣା ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା  ସାରି ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ  ପାଠ ପଢ଼ିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ହାସଲ କରିଥିଲେ ।  ୧୯୫୭ରେ ଭାରତୀୟ ପ୍ରଶାସନିକ ସେବା  (ଆଇଏଏସ୍‌) ଭାବେ ଚାକିରୀରେ ଯୋଗ ଦେଇଥିଲେ । ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ  ପଦ ବା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ  ତୁଲାଇଥିଲେ । ୧୯୯୨ରେ ସେ ଏହି ପଦରୁ ଅବସର ଗ୍ରହଣ କରିଥିଲେ । ନିଜର ଶ୍ରେଷ୍ଠ କବିତା ଗ୍ରନ୍ଥ ‘ଶ୍ରୀରାଧା’ ପାଇଁ  ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।  ଏହା ପ୍ରକାଶିତ ହେବା ପରେ ଓଡ଼ିଆ କାବ୍ୟ  ସାହିତ୍ୟର ଯୁଗାନ୍ତର ଘଟି ଏକ ନୂତନ ପର୍ଯ୍ୟାୟ  ଆରମ୍ଭ ହୋଇଥିଲା । ଏହି କାବ୍ୟ ସଂକଳନ  ପୂରା ଦେଶରେ ଚର୍ଚ୍ଚିତ ଓ ଆଦୃତ ହୋଇଥିଲା ।  ଭାରତୀୟ ଜ୍ଞାନପୀଠ ୧୯୯୦ ମସିହାରେ ତାଙ୍କର  ଏହି ଶ୍ରେଷ୍ଠ କୃତିକୁ ହିନ୍ଦୀରେ ଅନୁବାଦ କରି ପ୍ରକାଶ କରିଥିଲେ । ଏହି କାବ୍ୟ  ଗ୍ରନ୍ଥ ଇଂରାଜୀ  ଓ ୮ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର ଅନ୍ୟତମ କୃତି ‘ସପ୍ତମ  ଋତୁ’ ପାଇଁ ସେ ୧୯୭୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ  ହୋଇଥିଲେ । ୧୯୮୪ ମସିହାରେ ପ୍ରସିଦ୍ଧ ସାରଳା ପୁରସ୍କାର ପାଇଥିଲେ । ସେ  ଖାଲି ରାଜ୍ୟ ନୁହେଁ, ଜାତୀୟସ୍ତରରେ ପ୍ରତିଷ୍ଠିତ ଥିଲେ । ୧୯୮୮ ମସିହାରେ ଜଣେ  ଏସୀୟ କବି ହିସାବରେ ସେ ସୋଭିଏତ୍‌ ସଂଘରେ ଭାରତୀୟ କବିମାନଙ୍କର  ପ୍ରତିନିଧିତ୍ୱ କରିଥିଲେ । ପୁଣି ଭାରତୀୟ ଲେଖକ ଗୋଷ୍ଠୀର ପ୍ରତିନିଧି ଭାବେ  ସେ ଚୀନ, ଫ୍ରାନ୍ସ, ଇଂଲଣ୍ଡ ଓ ସ୍ୱିଡେନରେ କବିତା ପାଠ କରିଥିଲେ । ୨୦୦୧ରେ  ଏକମାତ୍ର ଭାରତୀୟ ଲେଖକ ଭାବେ ସେ ତାଇୱାନକୁ ନିମନ୍ତ୍ରିତ ହୋଇଥିଲେ । 

କବିତା ଗ୍ରନ୍ଥ ‘ସଚିତ୍ର ଅନ୍ଧାର’ ପାଇଁ ୧୯୯୦ରେ ଜାତୀୟ ସଂହତି ପୁରସ୍କାରରେ  ସମ୍ମାନିତ ହୋଇଥିଲେ । ୧୯୯୦ରେ ବିଷୁବ ସମ୍ମାନ ଲାଭ କରିଥିଲେ । ୧୯୯୩-୧୯୯୮  ମସିହା ଯାଏ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଥିଲେ । ୧୯୯୮ରୁ  ୨୦୦୩ ଯାଏ ଏକାଡେମୀର ସଭାପତି ଭଳି ଗୁରୁ ଦାୟିତ୍ୱ ତୁଲାଇଥିଲେ । ୨୦୦୧ରେ  ରାଷ୍ଟ୍ରଭୂଷଣ ସମ୍ମାନ ଓ ୨୦୦୨ରେ ଗଙ୍ଗାଧର ଜାତୀୟ କବିତା ପୁରସ୍କାର ପାଇଥିଲେ ।  ୨୦୦୬ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ ।  ସେହିବର୍ଷ ସାହିତ୍ୟ ଭାରତୀ ସମ୍ମାନ ଗ୍ରହଣ କରିଥିଲେ । ୨୦୦୯ ଫେବୃଆରୀରେ  ସେ ଫେଲୋସିପ୍‌ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ଥିଲେ ତୃତୀୟ ଓଡ଼ିଆ । ୨୦୧୮ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ । 

ପ୍ରେମ ଓ ମୃତ୍ୟୁ ଥିଲା ତାଙ୍କ କବିତାର ବିଶିଷ୍ଟ ଉପାଦାନ । ସେ ଥିଲେ ଆଧୁନିକ  ଓଡ଼ିଆ କବିତାର କର୍ଣ୍ଣଧାର । ତାଙ୍କ କୃତି ଭିତରେ ରହିଛି କବିତା ସଂକଳନ କେତେ  ଦିନର (୧୯୬୨), ଅନେକ କୋଠରୀ(୧୯୬୭), ସନ୍ଦିଗ୍ଧ ମୃଗୟା (୧୯୭୨), ସପ୍ତମ  ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଓ ଶ୍ରେଷ୍ଠ କବିତା  (୧୯୯୨), ଶ୍ରୀ ପଳାତକ(୧୯୯୬), ସୀମାନ୍ତବାସ(୨୦୦୨), ଫେରି ଚାହିଁଲେ,  ସବୁଦିନେ ସେ ପାଖେ, ନ ଯା, ନ ଯା, କହୁ କହୁ, ସରଳ ହୃଦ ଗଣିତ, ଜାହାଜ ଆସିବ  ଓ ଆଉ କେତୋଟି, ଧର୍ମପଦର ଆତ୍ମହତ୍ୟା, କବିତା ସମଗ୍ର(ପ୍ରଥମ, ଦ୍ୱିତୀୟ ଓ  ତୃତୀୟ), ସେବେ ଏବେ , ସବୁବେଳେ: କବୀରଙ୍କ କବିତା । ଶ୍ରୀ ପଳାତକରେ ମୋଟ ୫୮ଟି କବିତା ସଂକଳିତ ହୋଇଛି । ମେଘ ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକ ମଧ୍ୟ ଲେଖିଥିଲେ ।