ଜୟପୁର,୧୦/୦୪: ୧୫ ଦିନ ହେବ ଅନ୍ଧାରରେ ରହିଛନ୍ତି  ପଦ୍ମଶ୍ରୀ ସ୍ୱର୍ଗତ କମଳା ପୂଜାରୀଙ୍କ ପରିବାର । ଡଙ୍ଗରଛିଞ୍ଚି  ପଞ୍ଚାୟତର ପାତ୍ରପୁଟରେ କମଳାଙ୍କ ପୁଅ ଟଙ୍କଧର ରହୁଥିବା ଘରୁ କାଟି ଦିଆଯାଇଛି ବିଜୁଳି ସଂଯୋଗ । ବକେୟା ବିଲ୍‌ ପୈଠ କରାଯାଇନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଟାଟା ପାୱାର ବିତରଣ କମ୍ପାନି କର୍ତ୍ତୃପକ୍ଷ । ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏହା କମଳାଙ୍କ ପରିବାର ପ୍ରତି ଘୋର ଅପମାନଜନକ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ  ବାହିନୀପତି ଏବଂ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ । 

ଟଙ୍କଧର କହିଛନ୍ତି, ତାଙ୍କ ପରିବାରକୁ ସରକାର ମାଗଣାରେ ସଂଯୋଗ ଦେଇଥିଲେ । ଏବେ ୧୨ ହଜାର ଟଙ୍କାର ବିଲ୍‌ ଆସିଲା କେମିତି । ତଥାପି କିସ୍ତିରେ ଟଙ୍କା ଜମା କରିବେ ବୋଲି ଅନୁରୋଧ କରିଥିଲେ । ତାଙ୍କର କୌଣସି କଥା ଶୁଣିନଥିଲେ ଟାଟା ପାୱାର  କର୍ମଚାରୀ । ଏବେ ଗ୍ରୀଷ୍ମ ପ୍ରବାହ ବେଳେ ଦୀପ ଲଗାଇ ରାତି କାଟୁଛନ୍ତି । 

ଟାଟା ପାୱାରର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଧାୟକ ଶ୍ରୀ ବାହିନୀପତି । କହିଛନ୍ତି, ଦେଶର ଶ୍ରେଷ୍ଠ ଉପାଧି ପାଇଥିବା  ମହିଳାଙ୍କ ଘରୁ ବିଦ୍ୟୁତ ସଂଯୋଗ କଟାଯିବା କଥା ନୁହେଁ । ଟାଟା  ପାୱାରର ଏଭଳି କାର୍ଯ୍ୟକୁ ଯେତେ ନିନ୍ଦା କଲେବି କମ୍‌ ହେବ ।  ସରକାର ତାଙ୍କ ପରିବାରର ବିଦ୍ୟୁତ ବିଲ୍‌  ଦେବାର ବ୍ୟବସ୍ଥା କରନ୍ତୁ । 

ପୂର୍ବତନ ମନ୍ତ୍ରୀ ଶ୍ରୀ  ନନ୍ଦ କହିଛନ୍ତି, ଟାଟା ପାୱାରର ଦାଦାଗିରିକୁ  ବରଦାସ୍ତ କରାଯିବ ନାହିଁ । ସ୍ୱର୍ଗତ କମଳାଙ୍କ ଘର ଏକ ସ୍ମାରକୀ  ଭାବେ ପରିଚିତ । ସେହି ଘରେ ଶତାଧିକ ଦେଶୀବିହନ ସଂରକ୍ଷିତ  ରହିଛି । କମଳା ପାଇଥିବା ସ୍ମାରକୀ, ଫଳକ, ପ୍ରମାଣପତ୍ର ଏବଂ  ମାନପତ୍ର ସେଠାରେ ରଖାଯାଇଛି । ଏଭଳି ସ୍ଥିତିରେ ଉକ୍ତ ଘରୁ  ବିଜୁଳି ସଂଯୋଗ କଟାଯିବା ଦୁର୍ଭାଗ୍ୟଜନକ । ତୁରନ୍ତ ସଂଯୋଗ  ଦିଆନଗଲେ ବିଜେଡି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।