ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାକିସ୍ତାନକୁ ଶକ୍ତ ଝଟକା: ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ, ୧୯୬୦ରେ ପାକ୍‌ ସହ ହୋଇଥିଲା ଜଳ ଚୁକ୍ତି

Published By : Prameya | April 24, 2025 8:03 AM

ନୂଆଦିଲ୍ଲୀ,୨୪/୦୪: ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ପାକିସ୍ତାନୀ ଆତଙ୍କୀଙ୍କ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନ  ବିରୋଧରେ କଡ଼ା ପଦକ୍ଷେପ ସ୍ୱରୂପ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ  ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ଓ ଏହାର ସହାୟକ ନଦୀଗୁଡିକର ଜଳ ବଣ୍ଟନକୁ ନେଇ ୧୯୬୦ ସେପ୍ଟେମ୍ବର ୧୯ରେ  ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ୍‌  ଖାନ୍‌ କରାଚୀରେ ସିନ୍ଧୁ ଜଳ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଦୀର୍ଘ ୯ ବର୍ଷ ଧରି ଏଥିଲାଗି ଦୁଇ  ଦେଶ ଆଲୋଚନା କରିଥିବାବେଳେ ଶେଷରେ ବିଶ୍ୱ ବ୍ୟାଙ୍କ୍‌ ମଧ୍ୟସ୍ଥତାରେ ତାହା ଚୂଡାନ୍ତ ରୂପ ନେଇଥିଲା ।  ସିନ୍ଧୁ ନଦୀ ପ୍ରଣାଳୀରେ ମୋଟ ୬ଟି ନଦୀ ସାମିଲ ।  ସେଥିମଧ୍ୟରେ ସିନ୍ଧୁ, ସତ୍‌ଲେଜ, ଝେଲମ୍‌, ଚିନାବ,  ରାବି ଓ ବ୍ୟାସ ସାମିଲ । 

ଏହି ଚୁକ୍ତି ଅନୁସାରେ,  ଭାରତ ସିନ୍ଧୁ ନଦୀ ପ୍ରଣାଳୀର କେବଳ ୨୦ ପ୍ରତିଶତ  ପାଣି ହିଁ ବ୍ୟବହାର କରିପାରିବ । ବାକି ୮୦ ପ୍ରତିଶତ  ପାଣି ପାକିସ୍ତାନକୁ ଦେଇଥାଏ । ଏକ ଆକଳନ  ଅନୁସାରେ ପ୍ରାୟ ୨୧ କୋଟିରୁ ଅଧିକ ପାକିସ୍ତାନୀଙ୍କର  ପାଣି ଆବଶ୍ୟକତା ସିନ୍ଧୁ ଜଳ ପ୍ରଣାଳୀ ଉପରେ  ନିର୍ଭରଶୀଳ । ତେଣୁ ସିନ୍ଧୁ ନଦୀକୁ ପାକିସ୍ତାନର  ଲାଇଫଲାଇନ୍‌ ବୋଲି କୁହାଯାଇଥାଏ ।

 ଏଭଳିକ୍ଷେତ୍ରରେ ବୁଝାମଣାକୁ ଭାରତ ରୋକିବା  ଦ୍ୱାରା ପାକିସ୍ତାନ ପାଣି ପାଇଁ ଡହଳବିକଳ ହେବ । ପାକିସ୍ତାନର କୃଷି କ୍ଷେତ୍ର ଉପରେ ଏହାର ବ୍ୟାପକ  ପ୍ରଭାବ ପଡିବ । ପିଇବା ପାଣିର ଗୁରୁତର ସଙ୍କଟ ବି  ଦେଖାଯିବ । ପାକିସ୍ତାନର ପଞ୍ଜାବ ପ୍ରଦେଶ ଏହି ଚୁକ୍ତି  ଯୋଗୁ ସବୁଠୁ ଅଧିକ ଲାଭ ପାଇଥାଏ । ବୁଝାମଣା ଉପରେ ରୋକ ଲାଗିବା ଦ୍ୱାରା ପଞ୍ଜାବ ପ୍ରଦେଶରେ  ଥିବା ୧୭ ଲକ୍ଷ ଏକର ଜମି ପଡ଼ିଆ ପଡ଼ିବ ।  ଫଳରେ ପାକିସ୍ତାନରେ ଭୟଙ୍କର ମରୁଡି ସ୍ଥିତି  ଉପୁଜିପାରେ । ପାକିସ୍ତାନ ପୂର୍ବରୁ ହିଁ ଆର୍ଥିକ ସଙ୍କଟର  ସାମ୍ନା କରୁଛି । ଏଭଳିକ୍ଷେତ୍ରରେ ଭାରତର ଏହି  କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇପାରେ ।

ସେପଟେ ଚୁକ୍ତି ଅନୁସାରେ, ପ୍ରତିବର୍ଷ ସିନ୍ଧୁ ଜଳ ଆୟୋଗର ବୈଠକ ହେବା ଜରୁରି । ଗତବର୍ଷ  ଅଗଷ୍ଟରେ ଭାରତ ସିନ୍ଧୁ ଜଳ ସନ୍ଧିର ସମୀକ୍ଷା ଲାଗି ପାକିସ୍ତାନକୁ ଏକ ନୋଟିସ୍‌ ବି ଦେଇଥିଲା । ସେଥିରେ ପରିସ୍ଥିତିରେ ହୋଇଥିବା ମୌଳିକ ଓ  ଅପ୍ରତ୍ୟାଶିତ ପରିବର୍ତ୍ତନ କାରଣରୁ ବୁଝାମଣାର ପୁନଃ ସମୀକ୍ଷା ଜରୁରି ବୋଲି କୁହାଯାଇଥିଲା । ସୀମା ପାରରୁ ହେଉଥିବା ଆତଙ୍କୀ ଆକ୍ରମଣ ଘଟଣା ଏହି  ନୋଟିସ୍‌ର କାରଣ ବୋଲି କିଛି ମିଡିଆ ରିପୋର୍ଟରେ କୁହାଯାଇଥିଲା । ବର୍ତ୍ତମାନ ସେହି ଆତଙ୍କୀ ଆକ୍ରମଣ ଯୋଗୁ ହିଁ ଭାରତ ଏଭଳି କଡା ପଦକ୍ଷେପ ନେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.