ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ହନିମୁନ୍ ପାଇଁ ୟୁରୋପ ଯିବାର ଥିଲା, ଭିସା ନପାଇବାରୁ ଆସିଥିଲେ କାଶ୍ମୀର, ନାଭି ଅଫିସର୍ ବିନୟଙ୍କ ପାଇଁ ଭାଗ୍ୟର ବିଡମ୍ବନା ଥିଲା ଏମିତି...

Published By : Prameya | April 23, 2025 6:37 PM

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ରହିଛନ୍ତି। ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ । ସେମାନେ ହନିମୁନ୍ ପାଇଁ କାଶ୍ମୀର ଯାଇଥିଲେ। ଯଦିଓ ତାଙ୍କର ଯୋଜନା ୟୁରୋପ ଯିବାର ଥିଲା, କିନ୍ତୁ ଭିସା ନ ପାଇବାରୁ ତାଙ୍କୁ ତାଙ୍କର ଯୋଜନାକୁ ବଦଳାଇବାକୁ ପଡିଲା ଏବଂ ସେ କାଶ୍ମୀର ଗଲେ।

ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବୟସ ମାତ୍ର ୨୬ ବର୍ଷ ଥିଲା ଏବଂ ସେ ମାତ୍ର ୮ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦମ୍ପତି ପ୍ରଥମେ ସେମାନଙ୍କର ହନିମୁନ୍ ପାଇଁ ୟୁରୋପ ଯିବାକୁ ଚାହୁଁଥିଲେ କିନ୍ତୁ ଭିସା ପାଇପାରି ନଥିଲେ ଏବଂ ତେଣୁ ଯୋଜନାକୁ ବାତିଲ କରିବାକୁ ପଡିଥିଲା। ବିନୟ ହରିୟାଣାର କରନାଲର ବାସିନ୍ଦା। ତାଙ୍କ ପରିବାର ହରିୟାଣାର କର୍ଣ୍ଣାଲର ସେକ୍ଟର ୭ରେ ରୁହନ୍ତି।

ଆତଙ୍କବାଦୀ ମାନେ ହିମାଶିଙ୍କ ସାମ୍ନାରେ ସ୍ବାମୀ ବିନୟଙ୍କୁ ଗୁଳି କରିଥିଲେ। କିନ୍ତୁ ହିମାଶିଙ୍କୁ ଛାଡି ଦେଇଥିଲେ । ବିନୟ ଏବଂ ହିମାଂଶୀ ଏପ୍ରିଲ ୨୧ ତାରିଖରେ ଜମ୍ମୁ ଏବଂ କାଶ୍ମୀରରେ ପହଞ୍ଚିଥିଲେ ଏବଂ ଏପ୍ରିଲ ୨୨ ତାରିଖରେ ପହଲଗାମର ଏକ ହୋଟେଲରେ ଚେକ୍ ଇନ୍ କରିଥିଲେ। ହିମାଂଶୀ ନରୱାଲଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ସେ ଏବଂ ବିନୟ ପହଲଗାମ ନିକଟରେ ମିନି ସ୍ୱିଜରଲ୍ୟାଣ୍ଡ ଭାବରେ ପ୍ରସିଦ୍ଧ ଏକ ପର୍ଯ୍ୟଟନ ସ୍ଥଳ ବୈସାରଣ ଭ୍ୟାଲି ପରିଦର୍ଶନ କରିବାକୁ ଯାଇଥିଲେ। ତା'ପରେ ଆତଙ୍କବାଦୀ ମାନେ ଆସି ଗୁଳି ଚଳାଇଲେ। ଭିଡିଓରେ ହିମାଂଶୀ କହୁଥିବାର ଦେଖାଯାଉଛି କି, 'ମୁଁ ମୋ ସ୍ୱାମୀଙ୍କ ସହିତ ଭେଲପୁରୀ ଖାଉଥିଲି, ସେତେବେଳେ ଜଣେ ବ୍ୟକ୍ତି ଆସି ବିନୟଙ୍କ ଆଡ଼କୁ ଇଙ୍ଗିତ କରି କହିଲେ - ସେ ମୁସଲମାନ ନୁହଁନ୍ତି ଏବଂ ତା'ପରେ ସେ ଗୁଳି ଚଳାଇଲେ।'

ବିନୟ ନରୱାଲ ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ ଥିଲେ ଏବଂ ମାତ୍ର ତିନି ବର୍ଷ ପୂର୍ବରୁ ନୌସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ କେରଳର କୋଚିରେ ପୋଷ୍ଟିଂ ହୋଇଥିଲେ । ତେବେ ବିନୟଙ୍କ ବାପା ରାଜେଶ କୁମାର ପାନିପତର କଷ୍ଟମ୍ସ ବିଭାଗର ଜଣେ ସୁପରିଣ୍ଟେଣ୍ଡେଣ୍ଟ। ବିନୟଙ୍କ ମାଆଙ୍କ ନାମ ଆଶା ଦେବୀ ଏବଂ ଜେଜେମାଙ୍କ ନାମ ବିରୁ ଦେବା। ଆଶା ଦେବୀ ଜଣେ ଗୃହିଣୀ । ବିନୟଙ୍କ ବଡ଼ ଭଉଣୀ ସୃଷ୍ଟି ଦିଲ୍ଲୀରେ ରହି ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ବିନୟଙ୍କ ଜେଜେବାପା ହାୱା ସିଂହ ହରିୟାଣା ପୋଲିସରେ ଥିଲେ ଏବଂ ସେ ୨୦୦୪ ମସିହାରେ ଅବସର ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.