- ବିପଦରେ ରହିଛି, ସଂରକ୍ଷଣ ହେଉନି
- ଗଛ କଟାଯାଉଛି, ଗୁମ୍ଫା ବି ପୋତି ହୋଇଗଲାଣି
- ମୟୂର ଏଠି ଆକର୍ଷଣ, ପ୍ରତିଦିନ ଆସନ୍ତି ପର୍ଯ୍ୟଟକ
ଭୁବନେଶ୍ୱର,୨୭/୧୨(ଅମନ ଆୟୁଷ୍ମାନ ଦାସ): ପାଇକରାପୁର ପାହାଡ଼ । ପାଇକ ବିଦ୍ରୋହର ମୂକସାକ୍ଷୀ । ଏଇଠୁ ହିଁ ବ୍ରିଟିଶ୍ ବିରୋଧରେ ବିଦ୍ରୋହର ଯୋଜନା ଆରମ୍ଭ ହୋଇଥିଲା । ବିଦ୍ରୋହୀଙ୍କୁ ଏକାଠି କରି ବ୍ରିଟିଶ ବିରୋଧରେ ନାରା ଲଗାଇଥିଲେ ସଂଗ୍ରାମୀ ପିଣ୍ଡିକ ବାହୁବଳେନ୍ଦ୍ର । ପରେ ବରୁଣେଇରେ ବିଦ୍ରୋହର ବହ୍ନି ଜଳିଥିଲା । ଯେଉଁ ସ୍ଥାନରେ ପାଇକମାନଙ୍କୁ ଏକାଠି କରି ପିଣ୍ଡିକ ବାହୁବଳେନ୍ଦ୍ର ସେଦିନ ବ୍ରିଟିଶ ବିରୋଧରେ ସଂଘର୍ଷର ଅୟମାରମ୍ଭ କରିଥିଲେ, ସେହି ପାଇକରାପୁର ପାହାଡ଼ ଆଜି ବିପଦରେ । ନା ଏହାର ସଂରକ୍ଷଣ ହେଉଛି, ନା ସୁରକ୍ଷା । ଗବେଷଣା ତ ଦୂରେ ଥାଉ, ପାହାଡ଼ର ଇତିହାସ ବି ମିଳୁନି । କାଁ ଭାଁ ଗବେଷକ ଏହା ଉପରେ ତଥ୍ୟ ରଖୁଥିଲେ ହେଁ ସେତିକି ବି ପର୍ଯ୍ୟାପ୍ତ ହୋଇପାରୁନି ।
ଭୁବନେଶ୍ୱର ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଏହି ଐତିହାସିକ ପାହାଡ଼ । ଖଣ୍ଡଗିରି ପାଦଦେଶରୁ ଘାଟିକିଆ, ଗୋଠପାଟଣା ପଟେ ଗଲେ ପାଇକରାପୁର-ମଦନପୁର ରାସ୍ତା ପାଶ୍ୱର୍ରେ ପଡ଼ିବ ଏହି ପାହାଡ଼ । ଦୂରରୁ ଏହା ଏକ ମୁଣ୍ଡିଆ ଭଳିଆ ଦେଖାଯାଏ । ପାହାଡ଼ ଉପରକୁ ଯିବାକୁ ଅନେକ ବାଟ ରହିଛି, ହେଲେ ମୁଖ୍ୟତଃ ମା’ ଦୁଲାଦେଇ ମନ୍ଦିର ପଛପଟ ରାସ୍ତାରେ ଲୋକେ ଯିବା ଆସିବା କରିଥାନ୍ତି । ପ୍ରତିବର୍ଷ ରାଜଧାନୀ ସହ ଖୋର୍ଦ୍ଧା ଅଞ୍ଚଳରୁ ବହୁ ଲୋକେ ପାହାଡ଼ ପାଦଦେଶରେ ବଣଭୋଜି ବି କରନ୍ତି । ପାହାଡ଼ ଉପରୁ ଠିଆ ହେଲେ ଖଣ୍ଡଗିରି-ଉଦୟଗିରି ପାହାଡ଼, ୧୬ନଂ ଜାତୀୟ ରାଜପଥ ସ୍ପଷ୍ଟ ଦିଶେ । କେବଳ ସେତିକି ନୁହେଁ, ପାହାଡ଼ ଆଖପାଖରେ ଅନେକ ମୟୂର ବୁଲନ୍ତି । ସେଥିପାଇଁ ଏହାକୁ ପିକକ୍ ଭ୍ୟାଲି ମଧ୍ୟ କୁହାଯାଏ । ପାଇକରାପୁର ପାହାଡ଼କୁ ନେଇ ଅନେକ ଲୋକକଥା ରହିଛି । ମଦନପୁରସ୍ଥିତ ସନାତନ ହରିଚନ୍ଦନ ମହାବିଦ୍ୟାଳୟର ପୂର୍ବତନ ଇତିହାସ ପ୍ରଫେସର ପବିତ୍ର ମୋହନ ବାରିକ ଲେଖିଥିବା ଏକ ସନ୍ଦର୍ଭରୁ ମିଳିଥିବା ତଥ୍ୟ ଅନୁସାରେ, ପାହାଡ଼ର ପଶ୍ଚିମଦିଗରେ ଏକ ମୁଣ୍ଡିଆ ରହିଛି । ଯାହାର ନାଁ ‘ଦେଉଳିଆ ମୁଣ୍ଡିଆ’ । ସ୍ଥାନୀୟ ପୁରୁଖା ଗ୍ରାମବାସୀଙ୍କ ମତରେ ଏହି ମୁଣ୍ଡିଆରେ ଏକ ଗୁପ୍ତ ସୁଡ଼ଙ୍ଗ ବି ଥିଲା । ଯେଉଁ ସୁଡ଼ଙ୍ଗ ଦେଇ ପାଇକମାନେ ଯିବା ଆସିବା କରୁଥିଲେ । ୨୦୦୭ ବେଳେ ଏହି ସୁଡ଼ଙ୍ଗ ଦେଖିବାକୁ ମିଳୁଥିଲା । ହେଲେ ଅଳ୍ପ ବାଟ ଯିବା ପରେ ଆଗକୁ ଯିବାକୁ ରାସ୍ତା ବନ୍ଦ ହୋଇଥିଲା । ହେଲେ ଏବେ ଆଉ ସେ ସୁଡ଼ଙ୍ଗ ଦେଖିବାକୁ ମିଳୁନି । ଶ୍ରୀ ବାରିକଙ୍କ ମତରେ ଦେଉଳିଆ ମୁଣ୍ଡିଆର ଏକ ପାଶ୍ୱର୍ରେ ଛୋଟ ନାଳ ଥିଲା । ଆଉ ଏକ ସ୍ଥାନରେ ଛାମୁଣ୍ଡିଆ ପଥର ନାମକ ଏକ ପ୍ରାକୃତିକ ଗୁମ୍ଫା ବି ଥିଲା । ଯେଉଁଠି ପାଇକମାନେ ଆଶ୍ରୟ ନେବା ସହ ବ୍ରିଟିଶମାନଙ୍କ ଗତିବିଧି ଉପରେ ନଜର ରଖୁଥିଲେ ।
ବରିଷ୍ଠ ଗବେଷକ ନାରାୟଣ ରାଓ ମଧ୍ୟ ସମାନ କଥା ଦୋହରାଇଛନ୍ତି । ତାଙ୍କ କହିବା କଥା, ପାହାଡ଼ ଉପରେ ଯେଉଁ ସୁଡ଼ଙ୍ଗ ରହିଛି, ସେଥିରେ ପାଇକମାନେ ଅସ୍ତ୍ରଶସ୍ତ୍ର କୌଶଳ ଶିଖୁଥିଲେ । ପାଇକଙ୍କ ଆଶ୍ରୟ ସ୍ଥଳ ଦୃଷ୍ଟିରୁ ପାହାଡ଼ର ନାମକରଣ ଏଭଳି ଥିବା ଜଣାପଡ଼ିଛି । ତେଣୁ ଏସବୁ ଦୃଷ୍ଟିରୁ ପାଇକ ବିଦ୍ରୋହରେ ପାଇକରାପୁରର ଅବଦାନ ଅତୁଳନୀୟ।
ହେଲେ ଦୁଃଖର ବିଷୟ ପାହାଡ଼ରେ ଥିବା ସେସବୁ ସୁଡ଼ଙ୍ଗ ହଜିଗଲାଣି । ଧୀରେଧୀରେ ପାହାଡ଼ ଶ୍ରୀହୀନ ହୋଇଗଲାଣି । ବାରମ୍ବାର ଗଛ କଟାଯାଉଥିବାରୁ ବୃକ୍ଷଶୂନ୍ୟ ହୋଇଗଲାଣି । ଆଖପାଖରୁ ଅଳିଆ ଆବର୍ଜନା ନିଆଯାଇ ପାହାଡ଼ ପାଦଦେଶରେ ଫିଙ୍ଗିଦିଆଯାଉଛି । ସେଥିପାଇଁ ବାଟ ବି ହଜିଗଲାଣି । ଯେଉଁମାନେ ଏଠାକୁ ଆସୁଛନ୍ତି, ସେମାନେ କେବଳ ରିଲ୍ସ ନଚେତ୍ ନିଶାସେବନ କରୁଛନ୍ତି ।
ପାଇକରାପୁରର ଜଣେ ଗ୍ରାମବାସୀ ଅରକ୍ଷିତ ପୃଷ୍ଟିଙ୍କ କହିବା କଥା, ପାହାଡ଼ ଆଉ ପାହାଡ଼ ହୋଇନାହିଁ । ଏହା କେବଳ ଏକ ପଥର । ପିଲାବେଳେ ପାହାଡ଼ ଉପରେ ସୁଉଚ୍ଚ ବୃକ୍ଷ ଥିଲା । ଗାଁ ପିଲାମାନେ ସେଠାକୁ ଯାଇ ଖେଳକୁଦ କରୁଥିଲେ । ହେଲେ ସଂରକ୍ଷଣ ଓ ଦ୍ରୁତ ସହରୀକରଣ ପାଇଁ ପାହାଡ଼ରେ ବିନାଶ ହୋଇଚାଲିଛି । ତେଣୁ ବେଳଥାଇ ସରକାର ପାହାଡ଼ର ସଂରକ୍ଷଣ କଥା ଚିନ୍ତା କରନ୍ତୁ । କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚର ସଭାପତି ସଂଗ୍ରାମ କେଶରୀ ପାଇକରାୟ ପାହାଡ଼ର ସଂରକ୍ଷଣ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ଏହା ଉପରେ ଅଧିକ ଗବେଷଣା କରାଯାଇ ନୂତନ ପିଢିଙ୍କୁ ସଚେତନ କରାଯାଉ । ସ୍ମୃତିବହନ ପାଇଁ ପାହାଡ଼ ଚାରିପଟେ ବାଡ଼ ତିଆରି ସହ ପିକକ ଭ୍ୟାଲିକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେଲେ ଏହାର ପ୍ରଚାର ପ୍ରସାର ହୋଇପାରିବ ।
ପୂର୍ବରୁ ପାଇକାରପୁର ଗ୍ରାମ ମଳିପଡ଼ା ଗ୍ରାମପଞ୍ଚାୟତ ଅଧୀନରେ ରହିଥିଲା । ହେଲେ ନିକଟରେ ଏହି ଅଞ୍ଚଳ ଭୁବନେଶ୍ୱର ମହାନଗର ନିଗମରେ ସାମିଲ ହୋଇଛି । ନୂଆ ଭୁବନେଶ୍ୱର ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଅଞ୍ଚଳର ବିକାଶ କରିବାକୁ ଯୋଜନା କରିଛି । ହେଲେ ଏହି ପାହାଡ଼ର ଭବିଷ୍ୟତ କ’ଣ ହେବେ ତାହା କାହାକୁ ଜଣାନାହିଁ ।