ଭୁବନେଶ୍ବର, ୨୮/୬ : ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ ସମ୍ଭାବନା । ଏହି ସୂଚନା ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସ। ଆରବ ସାଗର ଓ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। l ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ସମାନ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏହା ପ୍ରଭାବରେ ରାଜ୍ୟରେ ୪ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ । ଆସନ୍ତା ୨୪ଘଣ୍ଟାରେ କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହା ଛଡ଼ା, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କଟକ, ବରଗଡ, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଗଜପତି, ଯାଜପୁର ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ମଧ୍ୟ ପ୍ରବାହିତ ହେବ । ଆସନ୍ତାକାଲି ମଧ୍ୟ ମୟୁରଭଞ୍ଜ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଥିବାବେଳେ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ରହିଛି। ମତ୍ସ୍ୟଜୀବୀଙ୍କୁ ମଧ୍ୟ ୨୮ରୁ ୧ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।
ଏପଟେ ସୌରାଷ୍ଟ୍ର ଏବଂ କଚ୍ଛର ଦକ୍ଷିଣ ଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ଅଞ୍ଚଳରେ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ରହିବ। ୩ ଓ ୪ତାରିଖ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ୬ରୁ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।