ନୂଆଦିଲ୍ଲୀ,୩୦।୧୨: ପାକିସ୍ତାନ ପକ୍ଷରୁ ନିକଟରେ ଅଫଗାନିସ୍ତାନରେ ହୋଇଥିଲା ଏୟାରଷ୍ଟ୍ରାଇକ୍। ଏହାପରେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ରକ୍ତାକ୍ତ ସଂଘର୍ଷ। ଦୁଇପଟର ସେନା ପରସ୍ପରର ସୀମା ଭିତରେ ପଶି ଲୋକଙ୍କୁ ମାରୁଛି। ପାକିସ୍ତାନ ଓ ଅଫଗାନିସ୍ତାନରେ ଗତ କିଛି ଦିନ ହେବ ଯେଉଁଭଳି ସ୍ଥିତି ରହିଛି ସେଥିରୁ ଏକ ନୂଆ ଯୁଦ୍ଧ ଆଶଙ୍କାକୁ ଏଡାଇ ହେବନି। ଏହା ଭିତରେ ସୋମବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ୮ ଜଣଙ୍କୁ ହତ୍ୟା କରି ଦିଆଯାଇଛି। ସେଭଳି ୧୩ ନାଗରିକ ଆହତ ହୋଇଛନ୍ତି।

ପାକିସ୍ତାନ ଲଗାତାର ଆଫଗାନିସ୍ତାନ ଉପରେ ଆକ୍ରମଣ କରୁଛି। ଶନିବାର ମଧ୍ୟ ପାକିସ୍ତାନ ପଙ୍ଖକ୍ତିୟାରେ ଏକ ମସଜିଦ୍ ଉପରେ ମୋର୍ଟାର ମାଡ କରିଥିଲା। ଯେଉଁଥିରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା। ଅଫଗାନିସ୍ତାନର ବହୁ ନାଗରିକ ଅନ୍ତର୍ଜାତୀୟ ହସ୍ତକ୍ଷେପ ଦାବି କରିଛି। ତାଙ୍କର କହିବା ଅନୁସାରେ, ପାକିସ୍ତାନ ପକ୍ଷରୁ ଲଗାତାର ନାଗରିକଙ୍କୁ ଟାର୍ଗେଟ କରାଯାଇପାରେ। 

ଟୋଲ୍‌ ନ୍ୟୁଜର ରିପୋର୍ଟ ଅନୁସାରେ, ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ଅନୁସାରେ ଡୁରଣ୍ଡ ଲାଇନ୍‌ର ଦୁଇ ପଟେ ସଂଘର୍ଷ ଚାଲିଛି। ପାକିସ୍ତାନର ଦୁଇଟି ପୋଷ୍ଟକୁ ଅଫଗାନିସ୍ତାନ ନଷ୍ଟ କରିଦେଇଛି। ତାଲିବାନ ସୈନିକ ପ୍ରବଳ ମାତ୍ରାରେ ହତିଆର ବ୍ୟବହାର କରି ଡୁରଣ୍ଡ ଲାଇନ୍‌ରେ ଥିବା ପାକିସ୍ତାନୀ ସେନାର ବହୁ ପୋଷ୍ଟରେ ନିଆଁ ଲଗାଇ ଦେଇଛି। ଏହି ସମୟରେ ପାକିସ୍ତାନୀ ସେନାର ୧୯ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ପଳାଇବାରେ ସକ୍ଷମ ହୋଇଛନ୍ତି।