ନୂଆଦିଲ୍ଲୀ,୧୧/୧୧: ଦିଲ୍ଲୀରେ ବିସ୍ଫୋରଣ ପରେ, ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବିସ୍ଫୋରଣ । ଇସଲାମାବାଦ ହାଇକୋର୍ଟ ନିକଟରେ ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୫ ଅଧିକ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଇସଲାମାବାଦ  ହାଇକୋର୍ଟ କମ୍ପ୍ଲେକ୍ସର ପାର୍କିଂ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ପାର୍କିଂରେ ଛିଡା ହୋଇଥିବା ଏକ କାର୍ ଭିତରେ ସିଲିଣ୍ଡର ଫାଟିବା ଯୋଗୁ ଏହି ବିସ୍ଫୋରଣ ହୋଇଛି । ଏହି ବ୍ଲାଷ୍ଟ୍ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ପଡିଛି । ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, କୋର୍ଟ ପରିସରରେ ପ୍ରବଳ ଟ୍ରାଫିକ ଏବଂ ଭିଡ଼ ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଅନେକ ଓକିଲ ଏବଂ ସାଧାରଣ ନାଗରିକ ଆହତ ହୋଇଛନ୍ତି।  ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ପୁଲିସ ଆଖପାଖ ଅଞ୍ଚଳକୁ ସିଲ୍ କରି ଛାନଭିନ କରୁଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,ଏକ ସିଲିଣ୍ଡର ଫାଟିବା ଯୋଗୁ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ମଧ୍ୟ ଚାଲିଛି। ବିସ୍ଫୋରଣର କାରଣ ଏବଂ ସମ୍ଭାବ୍ୟ ଅବହେଳା କିମ୍ବା ଅନ୍ୟାନ୍ୟ କାରଣଗୁଡ଼ିକର ତଦନ୍ତ ପାଇଁ ସୁରକ୍ଷା ବାହିନୀ ଏବଂ ଫରେନସିକ୍ ଟିମ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି।ଏହି ଘଟଣା ପରେ, କୋର୍ଟ କମ୍ପ୍ଲେକ୍ସ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସମସ୍ତ କୋର୍ଟ କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଛି, ଏବଂ ପୁଲିସ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛି।