ନୂଆଦିଲ୍ଲୀ, ୧୦।୬: ମହାକାଶ ମାର୍ଗରୁ ଭାରତର ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି ହୋଇଛି । ପାକିସ୍ତାନ ଏବେ ଚୁପଚାପ୍ ଭାରତ ବିରୋଧରେ ଏକ ନୂତନ ରଣନୀତିକ ଯୁଦ୍ଧ ଆରମ୍ଭ କରିଦେଇଛି । ନିଜର ପରମ ମିତ୍ର ଚୀନ୍ର ସହାୟତାରେ ପାକିସ୍ତାନ ନିଜର ମହାକାଶ ସର୍ଭେଲାନ୍ସ ବା ମନିଟରିଂ କ୍ଷମତାକୁ ଅତି ଦ୍ରୁତ ଗତିରେ ବୃଦ୍ଧି କରିଛି । ମାତ୍ର ୧୬ ମାସ ମଧ୍ୟରେ ପାକିସ୍ତାନ ଗୋଟିଏ କି ଦୁଇଟି ନୁହେଁ, ବରଂ ୬ଟି ଶକ୍ତିଶାଳୀ ‘ଅର୍ଥ-ଅବଜରଭେସନ୍ ସାଟେଲାଇଟ୍’ ମହାକାଶକୁ ଉତକ୍ଷେପଣ କରିଛି । ଏହା ମାଧ୍ୟମରେ ସେ ଏଭଳି ଏକ ସାଟେଲାଇଟ୍ ଗୁପ୍ତଚର ନେଟୱର୍କ ପ୍ରସ୍ତୁତ କରିଛି, ଯାହା ଭାରତୀୟ ସୀମା ଏବଂ ସାମରିକ ଗତିବିଧି ଉପରେ ପ୍ରତିଦିନ ତୀକ୍ଷ୍ଣ ନଜର ରଖିବାରେ ସକ୍ଷମ ।
୧୬ ମାସରେ ୬ଟି ସାଟେଲାଇଟ୍: ପାକିସ୍ତାନର ସାମରିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ
୧୯୧ ମସିହାରେ ପାକିସ୍ତାନର ସ୍ପେସ୍ ଏଜେନ୍ସି 'ସୁପାରକୋ' (SUPARCO - Space and Upper Atmosphere Research Commission) ପ୍ରତିଷ୍ଠା ହେବା ପରଠାରୁ ଗତ କିଛି ଦଶନ୍ଧି ଧରି ଏହାର ମହାକାଶ କାର୍ଯ୍ୟକ୍ରମ ଖୁବ୍ ଧିର ଗତିରେ ଚାଲିଥିଲା । ମାତ୍ର ନିକଟରେ ଏଥିରେ ଏକ ଆଶ୍ଚର୍ଯ୍ୟଜନକ ଖବର ଜଣାପଡ଼ିଛି । ଜାନୁଆରୀ ୨୦୨୫ ରୁ ଏପ୍ରିଲ ୨୦୨୬ ମଧ୍ୟରେ ପାକିସ୍ତାନ ହଠାତ୍ ୬ଟି ନୂତନ ଅର୍ଥ-ଅବଜରଭେସନ୍ ସାଟେଲାଇଟ୍ ମହାକାଶରେ ମୁତୟନ କରିଛି । ଏଥିମଧ୍ୟରେ ହାଇ-ରିଜୋଲ୍ୟୁସନ୍ ଅପ୍ଟିକାଲ୍ ଇମେଜିଙ୍ଗ୍, ହାଇପରସ୍ପେକ୍ଟ୍ରାଲ୍ ଏବଂ ରିମୋଟ୍-ସେନ୍ସିଙ୍ଗ୍ ପ୍ଲାଟଫର୍ମ ସାମିଲ ରହିଛି । ବିଶେଷଜ୍ଞଙ୍କ ମତରେ ଭାରତର 'ଅପରେସନ ସିନ୍ଦୂର' ଏବଂ ପହଲଗାମ ଆକ୍ରମଣ ପୂର୍ବରୁ ହିଁ ପାକିସ୍ତାନ ଏହି ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ।
ଭାରତୀୟ ନୌସେନାର ପୂର୍ବତନ ଅଧିକାରୀଙ୍କ ବଡ଼ ଚେତାବନୀ:
ପାକିସ୍ତାନର ଏହି ସାଟେଲାଇଟ୍ ଉତକ୍ଷେପଣର ଗଭୀର ସମୀକ୍ଷା କରି ଭାରତୀୟ ନୌସେନାର ପୂର୍ବତନ ଫ୍ଲାଗ୍ ଅଫିସର ରିୟର ଆଡମିରାଲ ସୁଧୀର ପିଲ୍ଲାଇ ଏକ ବ୍ଲଗ୍ ପୋଷ୍ଟରେ ସତର୍କ କରାଇ ଦେଇଛନ୍ତି । "ଗତ ମାସେ ଭିତରେ ପାକିସ୍ତାନ ଯେଉଁ ସାଟେଲାଇଟ୍ ନେଟୱର୍କ ତିଆରି କରିଛି, ତାହା କୌଣସି ସାଧାରଣ ନାଗରିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ସିଷ୍ଟମ ନୁହେଁ । ଏହାର ଅରବିଟାଲ ଆର୍କିଟେକ୍ଚର, ଏଥିରେ ଲାଗିଥିବା ସେନ୍ସର ଏବଂ ଏହାର ପୃଷ୍ଠଭୂମି ସ୍ପଷ୍ଟ କରୁଛି ଯେ ଏହାକୁ ସମ୍ପୂର୍ଣ୍ଣ ରୂପେ ଭାରତ ବିରୋଧରେ ସାମରିକ ଓ ଗୁପ୍ତ ନଜର ରଖିବା ଉଦ୍ଦେଶ୍ୟରେ ତିଆରି କରାଯାଇଛି ।" ବୋଲି ରିୟର ଆଡମିରାଲ ସୁଧୀର ପିଲ୍ଲାଇ କହିଛନ୍ତି ।
କେତେ ଶକ୍ତିଶାଳୀ ଏହି ପାକିସ୍ତାନୀ ସାଟେଲାଇଟ୍ ?
ଏହି ସାଟେଲାଇଟ୍ ଗୁଡ଼ିକ କେବଳ ସାଧାରଣ ଫଟୋ ଉଠାନ୍ତି ନାହିଁ, ବରଂ ଏମାନଙ୍କ ପାଖରେ ଅନେକ ଆଧୁନିକ ସାମରିକ କ୍ଷମତା ରହିଛି । ଅକ୍ଟୋବର ୨୦୨୫ ରେ ଲଞ୍ଚ ହୋଇଥିବା ପାକିସ୍ତାନର ହାଇପରସ୍ପେକ୍ଟ୍ରାଲ୍ ସାଟେଲାଇଟ୍ 'HS-1' ଭୂମିରେ ଥିବା ବିଭିନ୍ନ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଚିହ୍ନଟ କରିପାରେ । ଯାହାଫଳରେ ସାଧାରଣ କ୍ୟାମେରାରୁ ଲୁଚି ରହିଥିବା ସାମରିକ ବଙ୍କର କିମ୍ବା ଗୁପ୍ତ ସାମଗ୍ରୀକୁ ଏହା ସହଜରେ ଚିହ୍ନଟ କରିପାରିବ । ପାକିସ୍ତାନର ନୂତନ ସାଟେଲାଇଟ୍ PRSC-EO2 ଏବଂ PRSC-EO3 ରେ କୃତ୍ରିମ ବୁଦ୍ଧିମତ୍ତା (AI) ସହାୟତାରେ ଡାଟା ପ୍ରୋସେସ୍ କରିବାର କ୍ଷମତା ରହିଛି, ଯାହା ଭାରତୀୟ ସେନାର ଗତିବିଧିକୁ ତୁରନ୍ତ ଟ୍ରାକ୍ କରିପାରିବ ।
ପଛରେ ରହିଛି ଚୀନ୍ର ହାତ:
ପାକିସ୍ତାନର ଏହି ଅଚାନକ ମହାକାଶ ସଫଳତା ପଛରେ ଚୀନ୍ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ସବୁ ସାଟେଲାଇଟ୍ ଚୀନ୍ର ରକେଟ୍ ସାହାଯ୍ୟରେ ମହାକାଶକୁ ପଠାଯାଇଛି । ଚୀନ୍ ଏବଂ ପାକିସ୍ତାନର ସଂସ୍ଥାଗୁଡ଼ିକ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି । ଚୀନ୍ କେବଳ ଲଞ୍ଚିଂ ସେବା ଯୋଗାଇ ନାହିଁ, ବରଂ ସାଟେଲାଇଟ୍ ଡିଜାଇନ୍ ଏବଂ 'ରିଅଲ-ଟାଇମ୍ ଡାଟା-ସେୟାରିଂ' ର ବ୍ୟବସ୍ଥା ମଧ୍ୟ କରିଛି ।
ଆହୁରି ପଢ଼ନ୍ତୁ... Pakistan Attack Afghanistan: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍, ୧୧ ଶିଶୁଙ୍କ ସମେତ ୧୩ ମୃତ