ଇସ୍ଲାମାବାଦ,୦୩/୦୬: ପାକିସ୍ତାନରେ ଘନେଇବାରେ ଲାଗିଛି ଜଳାଭାବ ସମସ୍ୟା । ବିଶେଷକରି ଚାଷୀମାନେ ଏବେ ଜମିରେ ବିହନ ବୁଣା କାମରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନର ସିନ୍ଧୁ ନଦୀ ସିଷ୍ଟମ ଅଥରିଟି (ଆଇଆର୍ଏସ୍ଏ)ର ଆକଳନ ଅନୁସାରେ ଦେଶରେ ସିନ୍ଧୁ, ଝେଲମ, ଚେନାବ ନଦୀରେ ଜଳପ୍ରବାହ ୨୧% କମିଛି । ଦେଶର ପ୍ରମୁଖ ଡ୍ୟାମ୍ ମଙ୍ଗ୍ଲା ଏବଂ ତରବେଲାରେ ୫୦%ରୁ ବି କମ୍ ପାଣି ରହିଛି । ଜୁନ୍ ୨ ସୁଦ୍ଧା ପଞ୍ଜାବରେ ମୋଟ ୧,୨୮,୮୦୦ କ୍ୟୁସେକ ପାଣି ଥିଲା, ଯାହା କି ଗତବର୍ଷ ତୁଳନାରେ ୧୦.୩% କମ୍ । ଜଳ ସମସ୍ୟା ଯୋଗୁ ଏବେଠାରୁ ପାକିସ୍ତାନ ଚାଷୀ ସମସ୍ୟାରେ ଯୁଝି ହେଲେଣି । ପଞ୍ଜାବରେ ଚାଷୀ ଖରିଫ୍ ଫସଲ ପାଇଁ ବିହନ ବୁଣାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପାକିସ୍ତାନ ସରକାରଙ୍କ ଅନୁସାରେ, ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବା ପରେ ଭାରତ ଏବେ ପାକିସ୍ତାନ ସହ ଜଳ ପ୍ରବାହ ତଥ୍ୟ ମଧ୍ୟ ସେୟାର କରୁନାହିଁ । ଏହାଦ୍ୱାରା ବର୍ଷାଦିନେ ବନ୍ୟା ପରିଚାଳନା କଷ୍ଟକର ହୋଇପଡ଼ିବ । ସୂଚନାଥାଉ କି, ପାକିସ୍ତାନର ୮୦% କୃଷି ବା ୪ କୋଟି ଏକର ଜମି ସିନ୍ଧୁ ନଦୀ ପ୍ରଣାଳୀ ଉପରେ ନିର୍ଭରଶୀଳ । ପଞ୍ଜାବରେ ଚେନାବ ଏବଂ ଝେଲମ ନଦୀରୁ ଜଳସେଚନ ହୋଇଥାଏ । ଏହା ଦେଶକୁ ମୋଟ ଗହମ ଉତ୍ପାଦନର ୭୭% ଦେଇଥାଏ । ପାକିସ୍ତାନର ଅର୍ଥନୀତିରେ କୃଷିର ଯୋଗଦାନ ୨୧% ଥିବାବେଳେ ଏହା ୪୫% ଲୋକଙ୍କୁ ରୋଜଗାର ମଧ୍ୟ ଦେଇଥାଏ । ପାଣି ସଙ୍କଟ ଯୋଗୁ ଦେଶରେ ବେରୋଜଗାରି ଏବଂ ଦାରିଦ୍ର୍ୟତା ବଢ଼ିପାରେ । ପାକିସ୍ତାନର ଅନେକ ହାଇଡ୍ରୋପାୱାର ପ୍ରୋଜେକ୍ଟ ସିନ୍ଧୁ, ଚେନାବ ଏବଂ ଝେଲମ ନଦୀ ଉପରେ ନିର୍ଭରଶୀଳ । ଏଠାରେ ଜଳସ୍ତର ହ୍ରାସ ହେବା ଦ୍ୱାରା ବିଜୁଳି ସଙ୍କଟ ବଢ଼ିବ । ଏହାଦ୍ୱାରା ଶିଳ୍ପ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ । ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ପ୍ରଦେଶରେ ସିନ୍ଧୁ ନଦୀ ଉପରେ କେନାଲ ବନାଇବାକୁ ନେଇ ମଧ୍ୟ ବିବାଦ ରହିଛି । ଜଳାଭାବ ଯୋଗୁ ଦୁଇ ରାଜ୍ୟରେ ପୁଣି ସଂଘର୍ଷ ହୋଇପାରେ ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନକୁ ପାନେ ଦେବା ଲାଗି ୬୫ ବର୍ଷ ପୁରୁଣା ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିଛନ୍ତି । ଏହି ଚୁକ୍ତି ଅନୁସାରେ ପାକିସ୍ତାନ ଭାରତ ଦେଇ ଯାଇଥିବା ସିନ୍ଧୁ, ଝେଲମ, ଚେନାବ ନଦୀ ପାଣି ପାଉଥିଲା । ମେ’୭ରେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଥିଲା ।