ନୂଆଦିଲ୍ଲୀ: ପାକିସ୍ତାନରେ ଗିଲଗିଟ୍ ବାଲ୍ଟିସ୍ତାନ ସରକାରଙ୍କ ଏକ ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି କି, ଏକ ନୂଆ ପ୍ରସ୍ତାବିତ ହେଲିପ୍ୟାଡ ଉପରେ ଲ୍ୟାଣ୍ଡିଂ ପରୀକ୍ଷଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବିମାନଟି ତଳକୁ ଖସିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। 

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସୋମବାର ଦେଶର ଉତ୍ତର ଭାଗରେ ଏକ ସରକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି । ହେଲିକପ୍ଟରଟି ଏକ ନୂତନ ପ୍ରସ୍ତାବିତ ହେଲିପ୍ୟାଡ ଉପରେ ପରୀକ୍ଷଣ ଭାବରେ ଲ୍ୟାଣ୍ଡିଂ କରୁଥିଲା । ଏହି ସମୟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ତଳକୁ ଖସିପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଏବଂ ତିନି ଜଣ ଟେକନେସିଆନ୍ ଥିଲେ। ସକାଳ ପ୍ରାୟ ୧୦ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । 

ସୂଚନାଥାଉକି, ପୂର୍ବରୁ ଖୈବର ପଖତୁନଖଓ୍ବା ଅଂଚଳରେ ବନ୍ୟା ପ୍ରଭାବିତ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଏକ ସରକାରୀ MI-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ମଧ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।